ରାଇଘର: ମୋବାଇଲକୁ ନେଇ ଘର ଲୋକେ ତାଗିଦା କରିବା ଫଳରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଗ୍ରାମପଞ୍ଚାୟତର ଭାରସୁୁଣ୍ଡି (ଡି ଏନ କେ ) ଗ୍ରାମରେ। ନାବାଳକ ଜଣକ ଉକ୍ତ ଗ୍ରାମର ବିଶ୍ୱଜିତ ମିର୍ଦ୍ଧାଙ୍କ ପୁଅ ସୁମିତ ମିର୍ଦ୍ଧା (୧୪)।  ସୂଚନା ଅନୁଯାୟୀ ସୁମିତ ଗତକାଲି ସନ୍ଧ୍ୟାରେ ରାଇଘରରେ ଥିବା ନିଜ ମୋବାଇଲ ଦୋକାନରୁ ବାପାଙ୍କ ଅଜାଣତରେ ଏକ ମୋବାଇଲ ନେଇ ଘରକୁ ଯାଇଥିଲା।

Advertisment

ଆଜି ସକାଳୁ ମୋବାଇଲରେ ଭିଡିଓ ଗେମ୍ ଖେଳୁଥିବା ସମୟରେ ମାଁ ଦେଖି ମୋବାଇଲ କୋଉଠାରୁ ଆଣିଲ ବୋଲି ପଚାରିବା ସହିତ ବାପା ରାଗିବେ କହି ତାଗିଦା କରିଥିଲେ। ଏହାପରେ ସୁମିତ ଭୟଭୀତ ହୋଇ ନିଜ ଗାଧୁଆ ଘରେ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ବେଳେ ଘର ଲୋକେ ଛଟପଟ ହେଉଥିବା ଦେଖି ଗ୍ରାମବାସୀଙ୍କ ସହଯୋଗରେ ତାକୁ ରାଇଘର ଚିକିତ୍ସାଳୟକୁ ଆଣିଥିଲେ। ଆସିବା ବାଟରେ ହିଁ ତାର ମୃତ୍ୟୁ ଘଟିଥିଲା। ମେଡିକାଲ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ପରିବାର ଲୋକେ ରାଇଘର ଥାନାରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପରିବାରକୁ ହସ୍ତାନ୍ତର କରିବା ସହ ରାଇଘର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ପ୍ରକାଶ ଥାଉକି ମୃତ ସୁମିତ ଘରର ବଡ଼ ପୁଅ ହୋଇ ଥିବା ବେଳେ ବିଶ୍ୱଜିତ ମିର୍ଦ୍ଧାଙ୍କ ଆଉ ଜଣେ ପୁଅ ଓ ଦୁଇ ଝିଅ ରହିଛନ୍ତି।