ଗାଧୋଇଲା ବେଳେ ନାବାଳକକୁ ଆକ୍ରମଣ କଲା କୁମ୍ଭୀର, ଟିକରପଡ଼ା ନିକଟ ମହାନଦୀ କୂଳରୁ ମୃତଦେହ ଉଦ୍ଧାର

ଅନୁଗୁଳ: ମହାନଦୀ କୂଳରେ ଗୋଧୋଇବା ବେଳେ ଜଣେ ବାଳକକୁ କୁମ୍ଭୀର ଆକ୍ରମଣ କରିଛି। ଏଥିରେ ବାଳକର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଧିନ ଘାଟସାହି ନିକଟ ମହାନଦୀ କୂଳରେ ଆସ ପୂର୍ବାହ୍‌ଣରେ ଏହି ଅଘଟଣ ଘଟିଛି। ମୃତ ବାଳକର ନାମ ହେଲା ସମୀର ନାୟକ (୮)।

ସୂଚନା ଅନୁସାରେ ପୁରୁଣାକୋଟ ଥାନା ଟିକରପଡ଼ା ଗାଁର ଘାଟସାହିର ସମୀର ନାୟକ ଆଜି ପୂର୍ବାହ୍ଣରେ ସାଙ୍ଗମାନଙ୍କ ସହିତ ଗାଁ ନିକଟ ଦେଇ ପ୍ରବାହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲା। ମହାନଦୀରେ ଗାଧୋଉଥିବା ବେଳେ ତାକୁ ଏକ କୁମ୍ଭୀର ଟାଣି ନେଇଥିଲା। କୁମ୍ଭୀର ଠାରୁ ବର୍ତ୍ତିବା ପାଇଁ ସମୀର ବହୁ ଉଦ୍ୟମ କରିଥିଲା। କିନ୍ତୁ କୁମ୍ଭୀର ତାକୁ କାମୁଡ଼ିକାମୁଡ଼ି ରକ୍ତାକ୍ତ କରିବା ପରେ ଶେଷରେ ଛାଡ଼ି ଦେଇଥିଲା।

ଅନ୍ୟପଟରେ ସମୀରକୁ କୁମ୍ଭୀର ଟାଣି ନେଇଥିବା ସୂଚନା ଜାଣିବା ପରେ ଗାଁ ଅଗ୍ନିଶମବାହିନୀ ଓ ଲୋକେ ମହାନଦୀର କୂଳରେ ଖୋଜାଖୋଜି କରିଥିଲେ। ଶେଷରେ ମହାନଦୀ କୂଳରୁ ସମୀରର ମୃତଦେହ ଠାବ ହୋଇଥିଲା। ଏହି ଅପ୍ରୀତିକର ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର