ଭୁବନେଶ୍ବର: ସ୍ମାର୍ଟ ସିଟିର ମୁକୁଳା ଡ୍ରେନ୍ରେ ଅଘଟଣ ଘଟିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅବହେଳା ପାଇଁ ମଙ୍ଗଳବାର ଅପରାହ୍ଣରେ ଜଣେ ନାବାଳକର ଜୀବନ ଯାଇଛି। ନାବାଳକ ଜଣକ ଡ୍ରେନ୍ରେ ଭାସିଯାଉଥିବା ବେଲୁନ ଆଣିବାକୁ ଯାଇ ଜୀବନ ହରାଇଛି। ଜଳର ସ୍ରୋତ ତାକୁ ଭସାଇ ନେଇଛି।
ସୂଚନା ଅନୁସାରେ ଆଜି ଅପରାହ୍ଣ ୧ଟାରେ ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସମୟରେ ୟୁନିଟ-୩ ମସଜିଦ ସାହି ନିକଟରେ କିଛି ଛୋଟ ପିଲା ଖେଳୁଥିଲେ। ଏହି ସମୟରେ ଡ୍ରେନ୍ରେ ଏକ ବେଲୁନ ଭାସୁଥିଲା। ବେଲୁନକୁ ଆଣିବା ପାଇଁ ଏମାନଙ୍କ ମଧ୍ୟରୁ ଜଣେ ୮ ବର୍ଷ ବୟସର ନାବାଳକ ଉଦ୍ୟମ କରିଥିଲା। କିନ୍ତୁ ସେ ଡ୍ରେନ୍ରେ ଖସିପଡ଼ିଥିଲା। ବର୍ଷା ଯୋଗୁଁ ଡ୍ରେନ୍ରେ ପାଣି ପ୍ରବାହିତ ହେଉଥିବାରୁ ନାବାଳକ ନିଖୋଜ ହୋଇଯାଇଥିଲା। ଅନ୍ୟ ପିଲାମାନେ ଘଟଣା ସଂପର୍କରେ ପରିବାର ଲୋକଙ୍କୁ କହିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶେଷରେ ନାବାଳକକୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା।
ନାବାଳକ ଡ୍ରେନ୍ରେ ଭାସି ଯାଇ ମୃତ୍ୟୁ ଘଟଣା ନେଇ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଅବଗତ ହୋଇଛନ୍ତି। ଏହି ଅଘଟଣ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥି ସହିତ ସେ ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି।
ଡ୍ରେନରୁ ଉଦ୍ଧାର ହେବା ପରେ ନାବାଳକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ନାବାଳକର ମୃତ୍ୟୁ ନେଇ ମସ୍ଜିଦ୍ ସାହିରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ, ଡ୍ରେନ୍ ମୁକୁଳା ଯୋଗୁଁ ନାବାଳକ ଭାସିଯିବା ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ଏହିଭଳି ଅଘଟଣ ଘଟିଛି। ବିଏମ୍ସିର ଅବହେଳା ଯୋଗୁଁ ବାରମ୍ବାର ଏହିଭଳି ଅଘଟଣ ଘଟୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/234f2e37-559e-4e64-a81e-19af7d75b5cd.jpeg)