ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନ ମର୍ଦ୍ଦକୋଟ ଗ୍ରାମରେ ମେରୁଯାତ୍ରା ବେଳେ ଏକ ବଡ଼ ଅଘଟଣ ଘଟିଛି। ଗ୍ରାମର ଦେଉଳବନ୍ଧ ପୋଖରୀରେ ବୁଡ଼ି ଜଣେ ନାବାଳକ ପ୍ରାଣ ହରାଇଥିବା ବେଳେ ଜଣେ ନାବାଳିକା ମଧ୍ୟ ବୁଡ଼ି ଯାଇଥିଲେ। ଗୁରୁତର ନାବାଳିକାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୃତ ନାବାଳକ ଜଣକ ତୋଫାନ ପ୍ରଧାନଙ୍କ ପୁଅ ବଦ୍ରି(୭) ଓ ଗୁରୁତର ନାବାଳିକା ଜଣକ ହେଲେ ତୋଫାନଙ୍କ ଭାଣିଜୀ ସମା ଗ୍ରାମର ତେଜସ୍ୱିନୀ ତରାଇ(୯)। ମେରୁଯାତ୍ରା ପାଇଁ ତେଜସ୍ୱିନୀ ମାମୁ ଘରକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି।

Advertisment

ସୂଚନା ପ୍ରକାରେ, ମେରୁ ଯାତ୍ରା ପାଇଁ ମର୍ଦ୍ଦକୋଟ ମା’କାଳୀଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା। ସକାଳ ୮ ଟା ସମୟରେ ବଦ୍ରି ଓ ତେଜସ୍ୱିନୀ କୌଣସି କାରଣରୁ ପୋଖରୀ ତୁଠକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବଦ୍ରିଙ୍କୁ ମୃତ ଘୋଷଣା କରିଥିବା ବେଳେ ତେଜସ୍ବିନୀକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। କୋଦଳା ପୁଲିସ କେସ୍ ନମ୍ବର ୫/୨୩ରେ ଅପମୃତ୍ୟୁ ମାମଲା ମୃତ୍ୟୁ ରୁଜୁ କରି ତଦନ୍ତ କରୁଛି।