ବୈପାରିଗୁଡ଼ା: ବେକରେ ଗାମୁଛା ବାନ୍ଧି ଜନୈକ ନାବାଳକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତର ଦୁଦଯୋଡି ଗ୍ରାମର ନୀଳ ମୁଦୁଲିଙ୍କ ପୁଅ ସମରା ମୁଦୁଲି (୧୬) ବର୍ଷ ଗତ ରାତିରେ ଗ୍ରାମ ନିକଟରେ ରହିଥିବା କାଜୁ ଜଙ୍ଗଲରେ ଏକ ଚାକୁଣ୍ଡା ଗଛରେ ବେକରେ ଗାମୁଛା ବାନ୍ଧି ପ୍ରାଣ ହରାଇଛନ୍ତି। ଆଜି ସକାଳୁ ଗ୍ରାମର କିଛି ଲୋକ ଶୌଚ ପାଇଁ ଯାଇ ସମରାର ଝୁଲନ୍ତା ଦେହକୁ ଦେଖି ଚିପାକୁର ସରପଞ୍ଚ ରାଜୁ ଖିଲଙ୍କୁ ଜଣାଇଥିଲେ। ସରପଞ୍ଚ ଏନେଇ ରାମଗିରି ଥାନାରେ ଏବଂ ବୈପାରିଗୁଡା ଥାନାକୁ ଜଣାଇଥିଲେ। ରାମଗିରି ଥାନା ଏଏସ୍ଆଇ ବଳରାମ ହିକକା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୈପାରିଗୁଡା ପଠାଇଥିଲେ।
ପ୍ରକାଶ ଥାଉ କି, ସମରାର ମାଆ ପ୍ରାୟ ତିନି ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ବାପା ପୁଅର ଭଲମନ୍ଦ ବୁଝୁ ନଥିଲେ। ତେଣୁ ସମରା ନିଜ ଦାଦା, ବଡବାପାଙ୍କ ଘରେ ରହୁଥିଲେ। ବେଳେ ବେଳେ ଜୟପୁର ଯାଇ ବିଭିନ୍ନ ହୋଟେଲରେ କାମ କରୁଥିଲା। କାଜୁ ଫଳିବା ସମୟରେ ଗାଆଁକୁ ଫେରିଆସି ଲୋକଙ୍କର କାଜୁ ବଗିଚାରେ ଜଗୁଆଳି ଭାବେ କାମ କରୁଥିଲା। ଚଳିତ ବର୍ଷ ମଧ୍ୟ ସେ ଏହି କାମରେ ରହିଥିବା ବେଳେ ଗତ ରାତିରେ କାଜୁ ଜଙ୍ଗଲରେ ରହିଥିବା ଏକ ଚାକୁଣ୍ଡା ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲା। ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପ୍ରକାଶ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ କହିଛି।