ଦୁଷ୍କର୍ମକାରୀ ନାବାଳକକୁ ୧୦ ବର୍ଷ ଜେଲ୍‌

କେନ୍ଦୁଝର : ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଜଣେ ନାବାଳକକୁ ସୋମବାର କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି ଲୋକନାଥ ସାହୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୁକ୍ତ ନାବାଳକର ଘର ପଣ୍ଡାପଡ଼ା ଥାନା ଦ୍ଵାରଶୁଣୀ ଗ୍ରାମରେ। ତା’ର ଅଜାଘର ତଳବରଡ଼ା ଗ୍ରାମରେ। ନାବାଳକ ଜଣକ ବହୁ ସମୟରେ ଅଜାଘରକୁ ଯିବାଆସିବା କରୁଥିଲା। ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖ ସନ୍ଧ୍ୟା ୬ଟାବେଳେ ନାବାଳକ ତଳବରଡ଼ା ଗାଁକୁ ବାଇକ୍‌ରେ ଆସୁଥିଲା। ନାଳ ପାଖରେ ସେହି ଗ୍ରାମର ଜଣେ ନାବାଳିକା ଓ ତା’ର ସାଙ୍ଗକୁ ଭେଟିଥିଲା। ବର୍ଷା ଆସୁଥିବାରୁ ନାବାଳକ ଜଣକ ଉଭୟଙ୍କୁ ବାଇକ୍‌ରେ ନେଇଯିବାକୁ କହିଥିଲା। ନାବାଳକକୁ ସେମାନେ ଜାଣିଥିବାରୁ ଉଭୟ ତା’ର ବାଇକ୍‌ରେ ବସିଥିଲେ। ନାବାଳକ ଜଣକ ସେମାନଙ୍କୁ ତଳବରଡ଼ା ଗାଁକୁ ନେବା ପରିବର୍ତ୍ତେ ଦ୍ୱାରାଶୁଣୀ ଗାଁରେ ରହୁଥିବା ତା’ର ଜଣେ ସାଙ୍ଗ ଘରକୁ ନେଇଥିଲା। ବହୁ ସମୟ ପର୍ଯ୍ୟନ୍ତ ବର୍ଷା ନ ଛାଡ଼ିବାରୁ ୩ଜଣ ସେଠାରେ ରାତିରେ ଆଶ୍ରୟ ନେଇଥିଲେ। ରାତିରେ ନାବାଳକ ଜଣକ ଜୋରଜବରଦସ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଫଳରେ ସେ ପାଟିତୁଣ୍ଡ କରିଥିଲେ। ପାଟିଶୁଣି ସାଙ୍ଗଘର ଲୋକେ ଉଠି ପଡ଼ିଥିଲେ। ରାତିରେ ଉଭୟ ସେଠାରୁ ଚାଲିଆସି ତଳବରଡା ନିକଟରେ ଥିବା ଖେଡ଼ିଆଡିହା ଜଙ୍ଗଲ ନିକଟରେ ଅଟକି ଥିଲେ। ପରଦିନ ଗ୍ରାମର ଜଣେ ମହିଳା ଜଙ୍ଗଲକୁ ମହୁଲ ସଂଗ୍ରହ ପାଇଁ ଯାଇଥିବାବେଳେ ଉଭୟଙ୍କୁ ଦେଖିଥିଲେ। ନାବାଳିକାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଘରକୁ ଫେରିବା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ କହିଥିଲେ।

ପରିବାର ଲୋକ ଏନେଇ କାଞ୍ଜିପାଣି ଥାନାରେ ଅଭିଯୋଗ କରିବା ପରେ ତତ୍କାଳୀନ ଥାନା ଅଧିକାରୀ ଅମିତ କୁମାର ଭୂୟାଁ ଏକ ମାମଲା ରୁଜୁ କରି ନାବାଳକକୁ ଗିରଫ କରିଥିଲେ। ୧୩ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ କେନ୍ଦୁଝର ଅତିରିକ୍ତ ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି ଲୋକନାଥ ସାହୁ ନାବାଳକକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ବର୍ତ୍ତମାନ ନାବାଳକକୁ ୨୧ ବର୍ଷ ହୋଇନଥିବାରୁ ସେ ରାଉରକେଲା ରିମାଣ୍ଡ ହୋମ୍‌ରେ ରହିବ। ୨୧ ବର୍ଷ ହେଲେ ତାକୁ କେନ୍ଦୁଝର ଜେଲ୍‌କୁ ଅଣାଯିବ। ସେହିପରି ପୀଡ଼ିତାଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର