ଅନୁଗୁଳ : ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନାବାଳକକୁ ୨୦ ବର୍ଷ ଜେଲ୍‌

ଅନୁଗୁଳ : ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଆଜି ଏଡିଜେ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍ ପ୍ରଭାକର ଗଣ୍ଠିଆ ଅଭିଯୁକ୍ତ ନାବାଳକକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୧ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି।

ବିବରଣୀ ଅନୁସାରେ, ମୟୂରଭଂଜ ଜିଲ୍ଲା କୁମ୍ଭହାରଡ଼ି ଗାଁର ନାବାଳକର ପରିବାର ଅନୁଗୁଳ ଜିଲ୍ଲା ଏନ୍‌ଟିପିସି ଥାନା ଟେଲକୋବେଡ଼ା ମୁଣ୍ଡାହଟିଂଠାରେ ରହୁଥିଲେ। ଗତ ୧୩ ମେ ୨୦୧୮ରେ ସେହି ମୁଣ୍ଡାହଟିଂର ଜଣେ ନାବାଳିକାକୁ ଅଭିଯୁକ୍ତ ନାବାଳକ ଘରୁ ଅପହରଣ କରି ନେଇଥିଲା। ସେ ନାବାଳିକାକୁ ବାହାରେ କିଛି ଦିନ ରଖି ଦୁଷ୍କର୍ମ କରିବା ସହିତ ପୀଡ଼ିତାଙ୍କ ବାପାକୁ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଏହି ମାମଲାର ବିଚାର ବେଳେ ୧୮ଜଣଙ୍କ ସାକ୍ଷ୍ୟ ତଥା ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ଅଦାଲତ ନାବାଳକଜଣକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଏଡିଜେ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍ ପ୍ରଭାକର ଗଣ୍ଠିଆ ଏହି ମାମଲାର ରାୟ ଶୁଣାଇ ଆଇପିସିର ଧାରା ୩୬୩ ଅନୁଯାୟୀ ୫ ବର୍ଷ , ଆଇପିସିର ଧାରା ୩୬୬ ଅନୁଯାୟୀ ୭ ବର୍ଷ , ଆଇପିସିର ଧାରା ୩୭୬(୨)(ଏନ୍) ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ସେହିପରି ଧାରା ୩୭୬(୩) ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।

ସମ୍ବନ୍ଧିତ ଖବର