ଅନୁଗୁଳ : ଶେଷରେ ନାସା ଠକେଇର ରହସ୍ୟ ଖୋଲିଛି। ଆଉ କେହି ନୁହେଁ, ଜଣେ ନାବାଳକ ହିଁ ଏତେ ବଡ଼ କାରସାଦି ପଛର ମୂଳ ଖଳନାୟକ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ତାରି ଚିଠିକୁ ବିଶ୍ବାସ କରି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଯେମିତି ପ୍ରତାରଣାର ଶିକାର ହୋଇଛନ୍ତି, ଶାସକ ଦଳର ବିଧାୟକ ବି ସେମିତି ୫୦ହଜାର ଟଙ୍କାର ଆର୍ଥିକ ଠକେଇର ଶିକାର ହୋଇଛନ୍ତି। ଏହି ଠକେଇରୁ ଗଣମାଧ୍ୟମ ମଧ୍ୟ ବର୍ତ୍ତି ପାରିନାହିଁ। ଗୋଟିଏ ଚିଠି ଜରିଆରେ ସମସ୍ତଙ୍କ ହୃଦୟରେ ବିଶ୍ବାସ ଜନ୍ମାଇଥିବା ଏ ନାବାଳକ ଜଣକ କିଏ? ଏଭଳି ଠକେଇ ଦ୍ବାରା ତାର ବା ଲାଭ କଣ? ନାସା ଯିବା ନାଁରେ କିଛି ଟଙ୍କା ରୋଜଗାର ନା ସାମୟିକ ଖ୍ୟାତି ଅର୍ଜନ? ପୁଣି ଏତେ ଲୋକଙ୍କୁ ଭୂତାଇଥିବା ସାଇବର କ୍ରାଇମ୍ ପଛରେ ଜଣେ ମାଷ୍ଟର ମାଇଣ୍ଡ୍ ନା, ଆଉ ଅନେକଙ୍କର ସମ୍ପୃକ୍ତି ରହିଛି? ପୁଲିସ କେବଳ ଖଳନାୟକ ଜଣେ ନାବାଳକ ବୋଲି ସୂଚନା ଦେଇ ଏହି ସମସ୍ତ ପ୍ରଶ୍ନ ସଂପର୍କରେ ନିରବତା ଅବଲମ୍ବନ କରି ଚାଲିଥିବାରୁ ଏବେ ସମଗ୍ର ଘଟଣାକୁ ନେଇ ସାଧାରଣରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଶୁଭ୍ରାଂଶୁ ନାୟକ ନିଜ ହାତରେ ‘ମାଭିକ୍’ ନାମରେ ଏକ ରୋବୋଟିକ୍ ଡ୍ରୋନ୍ ତିଆରି କରିଥିଲେ। ତାକୁ ନାସାକୁ ପଠାଇଥିଲେ। ନାସା ଏ ପ୍ରକଳ୍ପକୁ ବେଶ୍ ପ୍ରଶଂସା କରିବା ସହିତ ଏଥିପାଇଁ ତାଙ୍କୁ ଆମେରିକା ଡକା ଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ଏ ଚିଠି ଉପରେ ସମସ୍ତେ ଭଳି ଯାଇଥିଲେ। କିନ୍ତୁ, ବୈଦେଶିକ ମନ୍ତ୍ରଣାଳୟ ଚିଠି ଉପରେ ସନ୍ଦେହ ପ୍ରକଟ କଲା ପରେ ହିଁ ଶୁଭ୍ରାଂଶୁ ଠକେଇର ଶିକାର ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ତେଣୁ ସ୍କୁଲ୍ କର୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ। ପୁଲିସ ସ୍କୁଲ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିଥିଲା। ପୁଲିସ ତରଫରୁ ଗୁଗୁଲ୍କୁ ମେଲ୍ ଆଇଡି ସମ୍ପର୍କରେ ସବିଶେଷ ତଥ୍ୟ ମଗାଯାଇଥିଲା। ଏହାପଛରେ କିଏ ଅଛି ତାର ସମ୍ପୂର୍ଣ୍ଣ ବିବରଣୀ ପୁଲିସ ନିକଟକୁ ଆସିଲା ପରେ ଠକେଇର ଖୁଲାସା ହୋଇଛି। ଜଣେ ନାବାଳକ ହିଁ ଶୁଭ୍ରାଂଶୁଙ୍କୁ ଚିଠି କରି ଠକିଛି। କିନ୍ତୁ, ନାବାଳକ ଜଣକ କିଏ ସେ ସମ୍ପର୍କରେ ପୁଲିସ ଅଧିକ କହିବାକୁ ମନା କରିଦେଇଛି। ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼କୁ ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦିଆଯିବ ବୋଲି ଅନୁଗୁଳ ଥାନା ଆଇଆଇସି ରମେଶ ଚନ୍ଦ୍ର ବିଶୋଇ ଗଣମାଧ୍ୟମକୁ କହିଛନ୍ତି।