କାଳିଆପାଣି : ହୋଲି ବେଳେ କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ମାଙ୍କେଡ଼ିଆ ବସ୍ତିରେ ଅଘଟଣ ଘଟିଛି। ବାଣ ବିସ୍ଫୋରଣରେ ସୁକୁରୁମୁନି ଓ ଜେଟା ପିଙ୍ଗୁଆଙ୍କ ପୁଅ ରାଜୁ ଓରଫ୍ ମାଟୁ ପିଙ୍ଗୁଆ(୧୦) ହାତରୁ କେତୋଟି ଆଙ୍ଗୁଠି ଛିଡ଼ିଯାଇଛି। ଆହତ ମାଟୁକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବସ୍ତିରେ ହୋଲି ଉତ୍ସବ ପାଳନ ବେଳେ ସ୍ଥାନୀୟ ଯୁବକମାନେ ବାଣ ଫୁଟାଇଥିଲେ। ଫୁଟୁଥିବା ଚାଇନା ବାଣ ମଧ୍ୟରୁ ଗୋଟିଏ ବାଣ ଅଫୁଟା ରହିଥିଲା। ମାଟୁ ଧୂଆଁ ବାହାରୁଥିବା ଏକ ବାଣକୁ ଆଣି ପୁଣି ନିଆଁ ଲଗାଇବା ଉଦ୍ୟମ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଯୁବକ ବିଜୟ ବାରିକ, ରଞ୍ଜନ ଘଣା ଓ ବୀରେନ୍ଦ୍ର ସୋରେନ ମାଟୁକୁ ବାଇକ୍ରେ ପ୍ରଥମେ ଟିଏସ୍ଏମ୍ଏଲ୍ ହସପିଟାଲ୍ ଏବଂ ପରେ କାର୍ ଯୋଗେ ସୁକିନ୍ଦା ଓ ଯାଜପୁର ଡାକ୍ତରଖାନାକୁ ନେଇଥିଲେ। ମାଟୁର ବାପା ଜେଟା ପକ୍ଷାଘାତରେ ପୀଡ଼ିତ। ଏପରି ଅବସ୍ଥାରେ ଜେଟାଙ୍କ ଆହତ ପୁଅକୁ ଜିଲ୍ଲା ପ୍ରଶାସନ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଦାବି ହେଉଛି।
ସେହିପରି ଗତକାଲି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତଣ୍ଡ ଗ୍ରାମରେ ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି। ଗତକାଲି ନାବାଳକ ଜଣଙ୍କ ସାଙ୍ଗମାନଙ୍କ ସହ ହୋଲି ଖେଳି ସାରିବା ପରେ କିଛି ପୁରୁଣା ବାଣକୁ ଆଣି ଫୁଟାଇ ଥିଲେ ବିସ୍ଫୋରଣରେ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ ତପନ (୧୧) ଗୁରୁତର ହୋଇଛନ୍ତି। ତାଙ୍କ ହାତରେ ବାଣଟି ଫୁଟି ଯାଇଥିଲା। ତପନଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି। ତାଙ୍କୁ ପ୍ରଥମେ ପାଟଣା ପରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।