ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଅପହରଣ କରାଯାଇଥିବା ନାବାଳକ ସମର୍ଥ ଅଗ୍ରୱାଲ (୧୫)ର ମୃତଦେହକୁ ପୁଲିସ ବରଗଡ଼ ଜିଲ୍ଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଛି। ଅଭିଯୁକ୍ତମାନେ ହତ୍ୟା ପୂର୍ବରୁ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ଏହା ନମିଳିବାରୁ ନାବାଳକକୁ ହତ୍ୟା କରି ପୋଡ଼ି ଦେଇଥିଲେ। ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ଝାରସୁଗୁଡ଼ା ଏସ୍ପି ସ୍ମିତ୍ ପରମାର ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ପରମାର କହିଛନ୍ତି, ସମର୍ଥ ଅଗ୍ରୱାଲ ସୋମବାର ସନ୍ଧ୍ୟା ସାଢ଼େ ୫ଟାରେ ସରବାହାଲ ହାଇସ୍କୁଲ ପଡ଼ିଆକୁ ଖେଳିବା ପାଇଁ ଯାଇଥିଲା। ବିଳମ୍ବିତ ସନ୍ଧ୍ୟା ଯାଏଁ ସେ ଘରକୁ ଫେରି ନଥିଲା। ତେଣୁ ପରିବାର ଲେକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରି ତାଙ୍କୁ ପାଇ ନଥିଲେ। ସମର୍ଥଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ସେ କଲ୍ ଉଠାଇ ନଥିଲା। ରାତି ପ୍ରାୟ ସାଢ଼େ ୮ଟାରେ ଦୁର୍ବୃତ୍ତମାନେ ଅପହରଣ କରିଥିବା ନେଇ ପରିବାର ଲୋକଙ୍କୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଫୋନ୍ କରିଥିବା ଦୁର୍ବୃତ୍ତମାନେ କହିଥିଲେ ଯେ, ୫୦ ଲକ୍ଷ ଟଙ୍କା ମିଳିଲେ ପୁଅକୁ ଜୀବିତ ଅବସ୍ଥାରେ ପାଇପାରିବେ। ଧମକପୂର୍ଣ୍ଣ କଲ୍ ପାଇଲା ପରେ ପରିବାର ଲୋକେ ଘଟଣା ଦିନ ରାତି ୯ଟାରେ ଏବାବଦରେ ପୁଲିସକୁ ଜଣାଇଥିଲେ।
ପୀଡିତ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସମର୍ଥ ଅଗ୍ରୱାଲକୁ ଉଦ୍ଧାର କରିବା ପାଇଁ ଝାରସୁଗୁଡ଼ା ପୁଲିସ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ପଡୋଶୀ ଜିଲ୍ଲାକୁ ଯାଇ ମଧ୍ୟ ଘଟଣାର ଛାନ୍ଭିନ୍ ଆରମ୍ଭ କରିଦେଇଥିଲା। ପୁଲିସ ଟିମ୍କୁ ମାର୍ଚ୍ଚ ୨୮-୨୯ ତାରିଖ ରାତିରେ ସୂଚନା ମିଳିଥିଲା ଯେ, ଅପହରଣ ଘଟଣାରେ ସମର୍ଥଙ୍କ ସଂପର୍କୀୟ ତଥା ଝାରସୁଗୁଡ଼ା ବିଜୁନଗର ନିବାସୀ ଅମିତ ଶର୍ମା ଓ ବ୍ରଜରାଜନଗର ଗାନ୍ଧିଛକ ନିବାସୀ ଦିନେଶ ଅଗ୍ରୱାଲ ସାମିଲ ଅଛନ୍ତି। ତଦନ୍ତରୁ ଜଣାପଡ଼ିଲା ଯେ, ଅମିତ ହେଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ।
ଏସ୍ପି କହିଛନ୍ତି ଯେ, ଅଭିଯୁକ୍ତମାନେ ସମର୍ଥକୁ ହତ୍ୟା କରି ମାର୍ଚ୍ଚ ୨୭-୨୮ ତାରିଖ ରାତିରେ ବରଗଡ଼ ଜିଲ୍ଲାର ଏକ ନିଦ୍ଦିଷ୍ଟ ସ୍ଥାନରେ ଫିଙ୍ଗି ଦେଇଥିଲେ। ତେବେ କେଉଁ କାରଣରୁ ଅଭିଯୁକ୍ତମାନେ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ମାଗି ଅପହରଣ ଓ ହତ୍ୟା କରିଥିଲେ, ସେନେଇ ଅଧିକ ତଦନ୍ତ ଚାଲିଛି।