ନାବାଳିକାଙ୍କୁ କମେଣ୍ଟମରାକୁ ନେଇ ନାବାଳକଙ୍କୁ ହତ୍ୟା, ବାଇକ୍‌ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତର ଜୀବନ ଗଲା

କୋରାପୁଟ: କୋରାପୁଟ ଟାଉନ୍‌ ଥାନା ଅଞ୍ଚଳ‌ରେ ଜଣେ ନାବାଳିକାଙ୍କୁ କମେଣ୍ଟମରାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି। ଅଭିଯୁକ୍ତମାନଙ୍କ ଆକ୍ରମଣରେ ନାବାଳିକାଙ୍କ ସହିତ ଥିବା ନାବାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଏହି ଘଟଣା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ବାଇକ୍‌ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ଜୀବନ ଚାଲି ଯାଇଛି। ଘଟଣାଟି ୭ଦିନ ତଳେ ଘଟିଥିବା ବେଳେ ଏହି ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଜଣେ ନାବାଳକଙ୍କୁ ଅଟକ ରଖିଥିବା ଏଏସ୍‌ପି ବିମଳକାନ୍ତ ବ୍ରହ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କୋରାପୁଟର ରଙ୍ଗବାଲି କୁମ୍ଭା ଗ୍ରାମ ଦେଇ ଦେଇ ଜଣେ ନାବାଳକ ନିଜ ନାବାଳିକା ବାନ୍ଧବୀଙ୍କୁ ବାଇକ୍‌ରେ ବସାଇ କୋଲାବ ଜଳଭଣ୍ଡାର ଆଡ଼ୁକୁ ଯାଉଥିଲେ। ଏହି ସମୟରେ ଛକରେ ବସି ଖଟି କରୁଥିବା ୩ ଜଣ ଯୁବକ ଓ ଜଣେ ନାବାଳକ ବାଇକ୍‌ରେ ଥିବା ନାବାଳିକାଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଏହାକୁ କେନ୍ଦ୍ର କରି ମାରପିଟ୍‌ ହୋଇଥିଲା। ଏଥିରେ ନାବାଳିକାଙ୍କ ସହିତ ଥିବା ନାବାଳକ ଗୁରୁତର ଆହତ ହୋଇଥିଲେ। ଏହା ଦେଖିବା ପରେ ନାବାଳିକା ଜଣକ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ। ଏକ ବୋଲେରୋକୁ ଅଟକାଇ ଗୁରୁତର ନାବାଳକଙ୍କୁ କୋରାପୁଟ ଏସଏଲଏନ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପଟେ ନାବାଳକଙ୍କୁ ଆକ୍ରମଣ କରିବା ପରେ ମୁଖ୍ୟ ଅଭିଯୁକ୍ତ(ନାବାଳକ) ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହିତ ବାଇକ୍‌ରେ ଚମ୍ପଟ ମାରିବାକୁ ଉଦ୍ୟମ କରିବା ସମୟରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ହିଁ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇ ଯାଇଥିଲା। ସେହିପରି ବିଶାଖାପାଟଣାରେ ଚିକିତ୍ସିତ ହେଉଥିବା ନାବାଳକ ଜଣକଙ୍କ ଗତକାଲି ମୃତ୍ୟୁ ଘଟିଛି। ଏନେଇ ମୃତ ନାବାଳକଙ୍କ ବାପା କୋରାପୁଟ ଟାଉନ୍‌ ଥାନାରେ ଏତଲା ଦେବା ପରେ ପୁଲିସ ଛାନଭିନ୍‌ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ଶିବ ପୂଜାରୀ ଓ ଦାଶରଥୀଙ୍କୁ ଗିରଫ କରିଛି। ଏଥିସହ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା କୋରାପୁଟ ଏଏସ୍‌ପି ଶ୍ରୀ ବ୍ରହ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର