ସୋନପୁର/ଘଣ୍ଟାପଡ଼ା: ସୋନପୁର ବସଷ୍ଟାଣ୍ଡ ଶୌଚାଳୟ ନିକଟରୁ ଶନିବାର ରାତିରେ ଜଣେ ୧୦ ବର୍ଷର ନାବାଳକ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଘଟଣାରେ ନାବାଳକର ତଥାକଥିତ ଅଙ୍କଲ ଏକ ସ୍କୁଟି ସହ ନାବାଳକକୁ ଛାଡ଼ି ନାବାଳକର ମା’କୁ ଖୋଜିବା ବାହାନାରେ କୁଆଡ଼େ ଫେରାର ହୋଇଯାଇଛି। ଏହି ନାବାଳକ ବ‌ୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସୁଲିଆ ଗ୍ରାମର ଏବଂ ସେ ପଲସାଗୋରା ଶିଶୁ ମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

Advertisment

ଏହି ନାବାଳକ ଏକ ସ୍କୁଟି ସହ ଶୌଚାଳୟ ନିକଟରେ ଥିବା ଜଣା ପଡ଼ିବା ପରେ କିଛି ସଚେତନ ନାଗରିକ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ପରେ ଚାଇଲ୍ଡ ଲାଇନ କର୍ମକର୍ତ୍ତା ଶ୍ବେତା ରାୟ, ସୁଦାମ ଗାଇଗରିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନାବ‌ାଳକକୁ ଉଦ୍ଧାର କରିବା ସହ ସ୍କୁଟି (ଓଡି-୨୭-ବି- ୫୨୨୪)କୁ ପୁଲିସର ଜିମା ଦେଇଥିଲେ। ନାବାଳକର ବାପାଙ୍କ ନାମ ଡମ୍ବରୁଧର ସାହୁ ଏବଂ ମା’ ଗୀତାଞ୍ଜଳି। ମା’ ଜଣେ ଆଶା କର୍ମୀ ଭାବରେ କାର୍ଯ୍ୟରତ। ଦୀର୍ଘ ଦିନ ହେଲା ବାପା ଡମ୍ବରୁ ପାରାଦୀପରେ ରହୁଛନ୍ତି। ଏହି ଘଟଣାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ଆଗରେ ନାବାଳକକୁ ଉପସ୍ଥାପନ କରାଯିବା ପରେ ସିଡବ୍ଲସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ନାବାଳକ ଜଣକ କୌଣସି ରୋଗରେ ପୀଡ଼ିତ ଥାଇ ଏମ୍‌ସ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଉଥିବା ଓ ସେଭଳି ଔଷଧ ନିଜ ଘରେ ଥିବା ନାବାଳକ ଜଣକ କହିବା ପରେ ଚାଇଲ୍ଡ ଲାଇନ କର୍ମକର୍ତ୍ତା ତାଙ୍କ ଘରେ ପହଞ୍ଚି ଗ୍ରାମବାସୀଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ସେହି ଔଷଧ ଆଣି ନାବାଳକକୁ ଦେଇଥିବା ସୂଚନା ମିଳିଛି। ଆବଶ୍ୟକ ତଦନ୍ତ ପରେ ନାବାଳକ ଜଣକ ବୌଦ୍ଧ ଜିଲ୍ଲାର ହୋଇଥିବାରୁ ବୌଦ୍ଧ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସହ ଯୋଗାଯୋଗ କରି ତାଙ୍କୁ ସେହି ଜିଲ୍ଲାକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ ସୂଚନା ଦେଇଛନ୍ତି।