କଲ୍ୟାଣସିଂହପୁର : ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେବା ସମୟରେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣେ ୧୨ବର୍ଷର ନାବାଳକ ଜିଅନ୍ତା ଜଳି ଯାଇଛନ୍ତି। ରାୟଗଡ଼ା ଜିଲ୍ଲା ଭାଲୁମାସ୍କା ଷ୍ଟେସନରେ ବୁଧବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି।

Advertisment

କାଶୀପୁର ବ୍ଲକ୍‌ ଗୁଡ଼ିବାଲି ପଞ୍ଚାୟତ ବାର୍ତ୍ତିବାଲି ଗାଁର ସହଦେବ ନାଏକଙ୍କ ପୁଅ ଦେବେନ୍ଦ୍ର ଏକ ବିବାହରେ ଯୋଗ ଦେବାକୁ ଭାଲୁମାସ୍କା ଆସିଥିଲେ। ବୁଧବାର ସକାଳ ପ୍ରାୟ ୧୦ଟାରେ ଦେବେନ୍ଦ୍ର ଫଟୋ ଉଠାଇବା ପାଇଁ ଭାଲୁମାସ୍କା ଷ୍ଟେସନକୁ ଦୁଇ ବନ୍ଧୁ ଦେବ ନାଏକ (୧୦) ଏବଂ ସନ୍ଦୀପ ନାଏକ (୧୦) ସହ ଯାଇଥିଲେ। ସେହି ସମୟରେ ନାଲକୋରୁ ଆଲୁମିନା ପାଉଡର ନେଇ ଯାଉଥିବା ମାଲ୍‌ଗାଡ଼ି ଷ୍ଟେସନରେ ଅଟକି ରହିଥିଲା। ‌ଷ୍ଟେସନ ତଥା ‌ଟ୍ରେନ୍‌ ଆଖପାଖରେ ସୁରକ୍ଷାର ବିଶେଷ ବ୍ୟବସ୍ଥା ନଥିବା ଦେଖି ଦେବେନ୍ଦ୍ର ଏବଂ ଦେବ ଟ୍ରେନ୍‌ ଉପରକୁ ଚଢ଼ି ଯାଇଥିଲେ। ଦୁହେଁ ଅନ୍ୟମନସ୍କ ହୋଇ ଫଟୋ ଉଠାଉଥିବା ବେଳେ ତଳେ ରହି ଅନ୍ୟ ଗୋଟିଏ କ୍ୟାମେରାରେ ସନ୍ଦୀପ ଫଟୋ ଉଠାଉଥିଲା। ଫଟୋ ଉଠାଇବାରେ ଏତେ ବ୍ୟସ୍ତ ହୋଇଗଲେ ଯେ ଅତି ନିକଟରେ ଥିବା ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାରକୁ ଅଣଦେଖା କରିଥିଲେ।

ବିଭିନ୍ନ ପୋଜ୍‌ ଦେଇ ‌ଫଟୋ ଉଠାଇବା ମଧ୍ୟରେ ଦେବେନ୍ଦ୍ର ୨୫୦୦୦ ଭୋଲଟେଜ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଯାହାଫଳରେ ଶରୀର ଜଳିଯିବା ସହ ଝଟ୍‌କା ଖାଇ ତଳେ ପଡ଼ି ଯାଇଥିଲା।

ପାଖରେ ଥିବା ଦେବ ମଧ୍ୟ ଗୁରୁତର ଆହତ ହୋଇଥିଲା। ଘଟଣାସ୍ଥଳରେ ହିଁ ଦେବେନ୍ଦ୍ରର ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତର ଦେବକୁ କିଛି ଲୋକ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ବ୍ୟବସ୍ଥା କରିଥିଲେ। ଅଘଟଣ ସଂପର୍କରେ ଖବର ପାଇ ଜିଆରପି ଓ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।