ପାଣିକୋଇଲି: ସାପ କାମୁଡ଼ାରେ ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଞ୍ଚାୟତ ବେଙ୍ଗାସାହିର ଜଣେ ଆଦିବାସୀ ନାବାଳକର ମୃତ୍ୟୁ ହୋଇଛି। ପାଣିକୋଇଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୧୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ମଙ୍ଗଳବାର ରାତିରେ ବେଙ୍ଗା ଆଦିବାସୀ ସାହିର ସ୍ବର୍ଗତ ପେଟୁ ମୁଣ୍ତାଙ୍କ ପୁଅ ଡୋରା(୧୫) ଶୋଇଥିବା ବେଳେ ତାକୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ନାବାଳକକୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ମୃତ୍ୟୁ ହୋଇଥିଲା। ପାଣିକୋଇଲି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।