ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ-ପଥରପଦା ରାସ୍ତାକଡ଼ରେ ଥିବା ପଥର ଖାଦାନରେ ପଡ଼ି ଜଣେ ୭ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ନାବାଳକ ‌ହେଲେ ସାଇଁକୁଳ ବଇଁଞ୍ଚବଣିଆ ସାହିର ଭୂପତି ଭୂଷଣ ଯେନାଙ୍କ ପୁଅ  ସୁଦୀପ ଯେନା। ସୁଦୀପ ଦିନ ୧୨ଟା ସମୟରେ ସାଙ୍ଗମାନଙ୍କ ପଥର ଖାଦାନକୁ ଶୌଚ ‌ହେବାକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ।

Advertisment

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସାଇଁକୁଳ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାଇଁକୁଳ ଫାଣ୍ତି ଅଧିକାରୀ ରବୀନ୍ଦ୍ର ମୁଣ୍ତାରୀ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ରାମଚନ୍ଦ୍ରପୁର ଥାନାରେ କେସ୍‌ ନମ୍ବର ୧୩/୨୨ରେ ଏକ ଅପମୃତ୍ୟୁ ମାମଲା ‌ହୋଇଛି। ମାଫିଆଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ସରକାରୀ ଜମିରେ ବେଆଇନ ଭାବେ ମୋରମ ଏବଂ ମାଙ୍କଡ଼ାପଥର ଉତ୍ତୋଳନ କରାଯିବା ପରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ବର୍ଷାଦିନେ ସେଥିରେ ପାଣି ଜମି ରହୁଛି। ଗୋରୁଗାଈ ସମେତ ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ଖାଦାନରେ ପଡ଼ି ପ୍ରାଣ ହରାଉଛନ୍ତି। ତୁରନ୍ତ ଏହି ପଥର ଖାଦାନ ଗୁଡ଼ିକୁ ପୋତିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।