ଗାଈ ଚୋରାଇବାକୁ ଯାଇଥିଲା ନାବାଳକ, ବଜ୍ରାଘାତରେ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମେଦନା ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳକ ଗାଈ ଚୋରାଇବାକୁ ଯାଇଥିବା ସମୟରେ ବଜ୍ରାଘାତ ହେବାରୁ ମୃତ୍ୟୁ ଘଟିଛି। ନାବାଳକ ଜଣକ ମେଦନା ଗ୍ରାମର ବଳି ମାଝୀଙ୍କ ପୁଅ ଶ୍ରୀକାନ୍ତ ମାଝୀ (୧୭) ବୋଲି ଜଣାପଡିଛି। ଏଥିରେ ଅନ୍ୟ ଜଣେ ନାବାଳକ ସାମାନ୍ୟ ଆହତ ହୋଇଛି। ସୂଚନା ଅନୁଯାୟୀ ମେଦନା ଗ୍ରାମର ବଳି ମାଝୀଙ୍କ ପୁଅ ଶ୍ରୀକାନ୍ତ ମାଝୀ (୧୭) ଆଜି ଅପରାହ୍ନ ୩.୨୦ ମିନିଟ ସମୟରେ ଗାଈ ଚରାଇବାକୁ ଗ୍ରାମ ନିକଟ ଜମିକୁ ଯାଇଥିଲା। ଅଚାନକ କାଳବୈଶାଖୀ ସହ ବର୍ଷା ହେବାରୁ ସେ ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତ ନାବାଳକ ଶ୍ରୀକାନ୍ତ ମାଝୀର ଅତି ନିକଟରେ ପଡ଼ିବା ଦ୍ଵାରା ତାର ଦେହର କିଛି ଅଂଶ ଜଳି ଯିବା ସହ ଅଚେତ୍ ହୋଇଯାଇଥିଲା। ଜମି ନିକଟରେ ଥିବା ଅନ୍ୟ ଜଣେ ୧୦ ବର୍ଷର ନାବାଳକ ରାମସାଇ ମାଝୀ ମଧ୍ୟ ବଜ୍ରାଘାତ ଦ୍ଵାରା ସାମାନ୍ୟ ଆହତ ହୋଇଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁହି ଙ୍କୁ ଉଦ୍ଧାର କରାଯାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲେ ସୁଦ୍ଧା ଡକ୍ଟର ଶ୍ରୀକାନ୍ତ ମାଝୀକୁ ମୃତ ଘୋଷଣା କରିଥିଲେ।  ତେବେ ସାମାନ୍ୟ ଆହତ ନାବାଳକ ମାଝୀର ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି। ପୁଅର ମୃତ୍ୟୁ ପରେ ବାପା ବଳି ମାଝୀ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ତେବେ ପୁଅ ଶ୍ରୀକାନ୍ତର ଏପରି ଅଚାନକ ମୃତ୍ୟୁ ପରେ ପରିବାର ଲୋକେ ସ୍ତବ୍ଦ ହୋଇଯାଇଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର