କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଣ୍ଟା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଧାନକଟା ମେସିନ୍ ମାଡ଼ି ଯାଇ ଜଣେ ନାବାଳକର ପ୍ରାଣହାନି ଘଟିଛି। ମୃତ ବାଳକ ହେଲେ ଖଡିଅଣ୍ଟା ଗାଁର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁଲା ମଳିକ। ଏହି ଘଟଣା ଗତକାଲି ସନ୍ଧ୍ୟାରେ ଘଟିଛି।
ସୂଚନା ଅନୁଯାୟୀ, ସନ୍ନ୍ୟାସୀ ନିଜ ବିଲରେ ଧାନ କାଟୁଥିବା ସମୟରେ ପୁଅ ଶିବୁଲା ପିଇବା ପାଣି ଆଣି ପହଞ୍ଚିଥିଲା। ସେ ଏହାପରେ ଧାନକଟା ମେସିନ ପଛପାଖରେ ଠିଆ ହୋଇଥିଲା। କିନ୍ତୁ ଧାନକଟା ସରିବା ବେଳେ ଚାଳକ ମେସିନକୁ ପଛପଟକୁ ବୁଲାଇଥିଲା। ଏହାଫଳରେ ଶିବୁଲା ଆଡ଼କୁ ମେସିନଟି ମାଡ଼ିଯାଇଥିଲା। ତାର ଦେହ ରକ୍ତ ଜୁଡୁବୁଡ଼ୁ ହୋଇଯାଇଥିଲା। ଧାନକଟା ମେସିନ ଚାଳକଙ୍କ ଅସାବଧାନତା ପାଇଁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିଲା।
ଶିବୁଲାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏସସିବି ଯିବା ବାଟରେ ଶିବୁଲାର ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଧାନକଟା ମେସିନ ଚାଳକ ଫେରାର ହୋଇଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/Boy-Dies-By-Peddy-Cutting-Machine_Thumbnail.jpg)