ରାୟଗଡ଼ା: ରାୟଗଡ଼ା ରକ୍ତଭଣ୍ଡାରରେ ରକ୍ତ ଅଭାବ ଯୋଗୁଁ ଅଭାବନୀୟ ପରିସ୍ଥିତି। ଜଣେ ନାବାଳକଙ୍କ ମୃତ୍ୟୁ ପରେ ପରିବାର ଲୋକ କ୍ଷତିପୂରଣ ଦାବିରେ ଧାରଣାରେ ବସିଥିଲେ। ଏଥିପାଇଁ କିଛି ସମୟ ଧରି ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଥମେ ରକ୍ତ ଦେବା ପାଇଁ ମନା କଲେ। ଅନୁରୋଧ କରିବାରୁ ବିଳମ୍ବରେ ରକ୍ତ ମିଳିଥିବା ପରିବାର ଲୋକ କହିଛନ୍ତି। ରାୟଗଡ଼ା ନ୍ୟୁ କଲୋନିରେ ରହୁଥିବା ଅଟୋ ଡ୍ରାଇଭର ମଧୁସୂଦନ ଟାକିରିଙ୍କ ୯ବର୍ଷର ପୁଅ ରାଜୀବ ଟାକିରି ଜ୍ୱରରେ ଆକ୍ରାନ୍ତ ଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତକାଲି ସକାଳ ୯ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ତୁରନ୍ତ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକ ଗତକାଲି ରାତିରେ ରକ୍ତଭଣ୍ଡାରକୁ ଯିବାରୁ ଆଦୌ ରକ୍ତ ନଥିବା କହି ଫେରାଇ ଦେଇଥିଲେ କର୍ମଚାରୀ। ଆଜି ସକାଳେ ପୁଣି ଅନୁରୋଧ କରିବାରୁ ରକ୍ତ ବଦଳରେ ରକ୍ତ ଦିଆଯିବ ବୋଲି କହିଥିଲେ। ଜଣେ ସଂପର୍କୀୟ ରକ୍ତ ଦେବା ପରେ ରକ୍ତଭଣ୍ଡାର କର୍ମଚାରୀ ଗୋଟିଏ ୟୁନିଟ୍ ‘ଏ’ ପଜିଟିଭ୍ ରକ୍ତ ଦେଇଥିଲେ। ଯାହା ରାଜୀବକୁ ଦିଆଯିବା ସମୟରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି।
ରକ୍ତ ଅଭାବରୁ ନାବାଳକଙ୍କ ମୃତ୍ୟୁକୁ ନେଇ ପରିବାର ଓ ସଂପର୍କୀୟ ତାତି ଯାଇଥିଲେ। ଅବହେଳାରୁ ରାଜୀବର ମୃତ୍ୟୁ ହୋଇଥିବାରୁ କ୍ଷତିପୂରଣ ଦାବି କରିଥିଲେ। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ରାୟଗଡ଼ା ଥାନା ଆଇଆଇସି କମଳକାନ୍ତ ବସନ୍ତ କୁମାର କହଁର, ଡାକ୍ତର ସୁରେଶ ଚନ୍ଦ୍ର ଦେବ ଏବଂ ଓଡ଼ିଶା ରକ୍ତକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଗୌତମ ପଟ୍ଟନାୟକ ପହଞ୍ଚି ଆଲୋଚନା କରିଥିଲେ। ଘଟଣାର ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକ ଧାରଣାରୁ ଉଠିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/05/SE3EIOtr72FWReMM7UAx.jpg)