କେନ୍ଦ୍ରାପଡା/ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ଦୁଷ୍କର୍ମର ଶିକାର ହୋଇ ଜଣେ ପୀଡ଼ିତା ଶିଶୁପୁତ୍ର ଜନ୍ମ ଦେବା ଅଭିଯୋଗକୁ ନେଇ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଘଟଣାର ତଦନ୍ତ କରୁଥିବା ସମୟରେ ଆଉ ଏକ ସାଂଘାତିକ ଅଭିଯୋଗ ଅନୁଷ୍ଠାନ ବିରୋଧରେ ଆସିଛି। ତାଙ୍କ ଶିଶୁ କନ୍ୟାଙ୍କୁ ଲୁଥେରାନ୍ ମହିଳା ସମିତିର ଦୁଇ ଜଣ କର୍ମଚାରୀ କେଉଁଆଡ଼େ ବିକ୍ରି କରି ଦେଇଛନ୍ତି ବୋଲି ଜଣେ ୧୭ବର୍ଷୀୟା ଦଳିତ ନାବାଳିକା ଆଜି ତଦନ୍ତ କରିବାକୁ ଆସିଥିବା ଅଧ୍ୟକ୍ଷାଙ୍କ ଆଗରେ ଅଭିଯୋଗ କରିଛନ୍ତି। ଅଭିଯୋଗର ତଦନ୍ତ କରାଯିବ ବୋଲି ଅଧ୍ୟକ୍ଷା ପ୍ରତିଶ୍ରୁତି ଦେବା ପରେ ବାପାଙ୍କ ସହିତ ଆସିଥିବା ପୀଡ଼ିତା ନାବାଳିକା ଘରକୁ ଫେରି ଯାଇଛନ୍ତି।
/sambad/media/post_attachments/wp-content/uploads/2019/09/baby-1-750x430.jpg)
ମହାକାଳପଡ଼ା ତିଖିରୀ ଅଂଚଳର ଏହି ନାବାଳିକା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୦୧୭ ମସିହାରେ ସେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। କିନ୍ତୁ ଗର୍ଭବତୀ ହେବା ପରେ ଗ୍ରହଣ କରିବାକୁ ଯୁବକ ମନା କରିଦେବାରୁ ୨୦୧୭, ସେପ୍ଟେମ୍ବର ୨୦ତାରିଖରେ ସଂପୃକ୍ତ ଯୁବକଙ୍କ ବିରୋଧରେ ମାର୍ଶାଘାଇ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ମାମଲା( ନଂ ୧୭୪/୧୭) ରୁଜୁ କରିଥିଲେ ମଧ୍ୟ ଯୁବକ ନାବାଳକ ଥିବା କାରଣ ଦର୍ଶାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରିବା ପରେ ଅନ୍ତସତ୍ତ୍ବା ନାବାଳିକାଙ୍କୁ ବାରିମୂଳ ସ୍ଥିତ ‘ସ୍ବରାଜ’ ଅନୁଷ୍ଠାନରେ ରଖାଯାଇଥିଲା। ପରେ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ନାବାଳିକା ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଏହାପରେ ଉଭୟ ମା ଓ ଛୁଆଙ୍କୁ ଲୁଥେରାନ ମହିଳା ସମିତିରେ ରଖାଯାଇଥିଲା। ସେଠାରେ ଔଷଧ ଖାଇବାକୁ ଦିଆ ଯିବ କହି ଛୁଆକୁ ମୋଠାରୁ ନେଇ ନିଆଗଲା। ଏହାପରଠୁ ଛୁଆର କୌଣସି ପତ୍ତା ମିଳୁନାହିଁ। ପଚାରିଲେ ଅନୁଷ୍ଠାନ କର୍ତୃପକ୍ଷ ଗାଳିଗୁଲଜ୍ ଏବଂ ମାଡ଼ ମାରିବାକୁ ଧମକ ଦେବାରୁ ଭୟରେ ବାପାଙ୍କ ସହିତ ଘରକୁ ଚାଲି ଆସିଲି ବୋଲି ପୀଡ଼ିତା ନାବାଳିକା ମା ଆଜି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କହିଛନ୍ତି।