ନାବାଳିକା ଫସିଛି ତେଲେଙ୍ଗାନା ଇଟାଭାଟିରେ

ଇଟାଭାଟିରେ ବନ୍ଧକ ରଖି ମା’ ଚାଲିଗଲେ ଆରପାରିକୁ, ଉଦ୍ଧାର ପାଇଁ ବଡ଼ ଭଉଣୀର ଆକୁଳ ନିବେଦନ

ଚନ୍ଦାହାଣ୍ଡି : ନବରଂଗପୁରର ଏକ ନାବାଳିକାକୁ ଇଟାଭାଟିରେ ବନ୍ଧକ ରଖି ମା’ ଆରପାରିକୁ ଚାଲିଯାଇଛି। ଫଳରେ ନାବାଳିକା ଜଣକ ତେଲଙ୍ଗାନାର ଏକ ଇଟାଭାଟି ମାଲିକଙ୍କ ନିକଟରେ ବନ୍ଧକ ରହିଥିବା ବେଳେ ଆଜି ତାଙ୍କ ମା’ଙ୍କ ଦଶାହ କାର୍ଯ୍ୟ ଗାଁରେ ସମ୍ପନ୍ନ ହୋଇଛି। ପ୍ରଶାସନ ତୁରନ୍ତ ନାବାଳିକାକୁ ଉଦ୍ଧାର କରିବା ପାଇଁ ଦାବି ହୋଇଛି।

ଚନ୍ଦାହାଣ୍ଡିସ୍ଥିତ କେନାଲ ସାହିର ଅନାଦି ଚୌହାନ ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅକୁ ନେଇ ଦୁଃଖକଷ୍ଟରେ ଚଳୁଥିଲେ। ରୋଜଗାର ନଥିବା ଯୋଗୁଁ ବଡ଼ ଝିଅର ପାଠପଢ଼ା ପାଇଁ ଅର୍ଥ ଉପାର୍ଜନ କରିବା ଆଶାରେ ମା’ ଅନାଦି ସାନ ଝିଅ ମାମାନାକୁ ନେଇ ଦାଦନ ଖଟିବା ପାଇଁ ଚାଲିଯାଇଥିଲେ ତେଲଙ୍ଗାନା। ହାଇଦ୍ରାବାଦ ନିକଟରେ ଏକ ଇଟାଭାଟିରେ ଉଭୟେ ମା’ ଓ ଝିଅ କାମ କରୁଥିଲେ। ଏହି ସମୟରେ ଅନାଦିଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ଇଟାଭାଟି ମାଲିକ ତାଙ୍କୁ ତୁରନ୍ତ ଘରକୁ ଫେରିଯବାକୁ କହିଥିଲେ। ଅନାଦି ଝିଅ ମାମାନାକୁ ଇଟାଭାଟି ମାଲିକଙ୍କ ନିକଟ‌ରେ ବନ୍ଧକ ରଖି ଘରକୁ ଫେଥିଲେ ହେଁ ସ୍ବାସ୍ଥ୍ୟ ଅଧିକ ବିଗିଡ଼ି ଯାଇଥିଲା। ବଡ଼ଝିଅ ମାମାଳି ଧାରକରଜ କରି ମାଙ୍କ ଚିକିତ୍ସା କରାଇଥିଲେ। ଗତ ୪ ତାରିଖରେ ଅନାଦିଙ୍କର ମୃତ୍ୟୁ ହୋଇଥିଲା। ଏବେ ଗାଁରେ ବଡ଼ଝିଅ ମାମାଳି ଏକୁଟିଆ ହୋଇଯାଇଛି ଓ ସାନ ଭଉଣୀକୁ ଫେରାଇ ଆଣିବାକୁ ନିବେଦନ କରିଛି।

ମା’ ଅନାଦି ତେଲଙ୍ଗାନାରୁ ଫେରିବା ବେଳେ ଇଟାଭାଟି ମାଲିକଙ୍କ ନିକଟରୁ କୁଆଡ଼େ କିଛି ଅର୍ଥ ନେଇ ଆସିଥିଲେ। ସେହି ଅର୍ଥକୁ ପରିଶୋଧ କରିବା ପାଇଁ ସାନ ଝିଅ ଇଟାଭାଟିରେ କାମ କରୁଛି । ଦୁଇ ମାସ ଇଟାଭାଟିରେ କାମ କରି ଅର୍ଥ ପରିଶୋଧ ପରେ କୁଆଡେ ତାଙ୍କୁ ଛଡ଼ାଯିବ ବୋଲି ଇଟାଭାଟି ମାଲିକ କହିଛି। ଆଜି ସଂପର୍କୀୟଙ୍କ ଉପସ୍ଥିତିରେ ଦଶାହ କାର୍ଯ୍ୟ ସମାପନ ହୋଇଥିଲା।

ସମ୍ବନ୍ଧିତ ଖବର