ରେଢ଼ାଖୋଲ: ବାହା ଘରର ବର୍ଷେ ପରେ ଜଣେ ଯୁବକ ଜଣକ ନାବାଳିକାକୁ ନେଇ ଫେରାର ଘଟଣା ରେଢ଼ାଖୋଲ ଅଞ୍ଚଳରେ ବେଶ ଚଚ୍ଚାର୍ର ବିଷୟ ହୋଇଥିଲା। ଶୁକ୍ରବାର ଚାରମାଳ ଥାନା ପୁଲିସ ଅଭିଯୁକ୍ତ ଚାରମାଳ ଥାନା ଗିରିଧିଖମନ ଗ୍ରାମର ବିଜୟ ବେହେରା (୩୨)ଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି।

Advertisment

ସୂଚନା ଅନୁସାରେ, ବିଜୟ ଗତ ୨୦୨୧ ଜୁଲାଇ ମାସରେ ଅନୁଗୋଳ ଜିଲ୍ଲା କିଶୋରନଗରର ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କୁ ବିବାହ କରିଥିଲେ। ହେଲେ ବିଜୟ ବାହାଘର ପରେ ଆଉ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ଗତ ୨୮ ତାରିଖ ଦିନ ସେହି କଲେଜ ପଢୁଆ ନାବାଳିକାଙ୍କୁ ନେଇ କୁଆଡେ ଫେରାର ମାରିଥିଲେ। ନାବାଳିକା ଜଣକ ଘରକୁ ନ ଫେରିବାରୁ ପରିବାର ଲୋକ ଚାରମାଳ ଥାନାରେ ତାଙ୍କ ଝିଅକୁ ଅପହରଣ କରି ନିଆଯାଇ ଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଚାରମାଳ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଗୁରୁବାର ରାତିରେ ଉଭୟ ଟ୍ରେନରୁ ଉହ୍ଲାଇ ଚାରମାଳ ରେଳଷ୍ଟେସନରେ ବୁଲାବୁଲି କରୁଥିବା ବେଳେ ପୁଲିସ ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଯୁବକ ବିଜୟଙ୍କୁ ଅପହରଣ ଦଫାରେ ଗିରଫ କରିଥିଲା।

ନାବାଳିକାଙ୍କୁ ଉଦ୍ଧାର ପରେ ପୁଲିସ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଜ୍ୟୋତ୍ସ୍ନାରାଣୀ ମଧ୍ୟ ସ୍ବାମୀ ବିଜୟଙ୍କ ବିରୋଧରେ ଚାରମାଳ ଥାନାରେ ଅଭିଯୋଗ ପରେ ପୁଲିସ ଆଉ ଏକ ମାମଲା ରୁଜୁ କରିଛି। ଜ୍ୟୋତ୍ସ୍ନାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀଙ୍କ ଚରିତ୍ର ଭଲନଥିଲା। ବାହାଘର ପରଠାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁ ଥିଲେ। ଅଧିକ ଯୌତୁକ ଦାବି କରି ଗାଳିଗୁଲଜ କରିବା ସହିତ ନିୟମିତ ମାରଧର କରୁଥିଲେ। ଥାନାରେ ଅଭିଯୋଗ ପରେ ଜ୍ୟୋତ୍ସ୍ନା ନିଜ ବାପଘରକୁ ଚାଲି ଯାଇଛନ୍ତି। ସେପଟେ ପୁଲିସ ପୃଥକ ଦୁଇଟି ମାମଲା ରୁଜୁ କରଛି। ଅପହରଣ, ଦୁଷ୍କର୍ମ, ପୋକ୍ସୋ ଆକ୍ଟ, ‌ଯୌତୁକ ନିର୍ଯାତନା ଆଦି ଦଫା ଲଗାଇ ଅଭିଯୁକ୍ତ ବିଜୟକୁ କୋର୍ଟ ଚାଲାଣ କରିଛି। ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।