ରହସ୍ୟରେ ଉତ୍କଟଗନ୍ଧ ଓ ନାବାଳିକା ମୃତ୍ୟୁ ଘଟଣା : ସଂକଟାପନ୍ନ ସାନ ଭଉଣୀ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର

ଭଞ୍ଜନଗର/ପ୍ରତାପୁର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଅତରାଇପଲ୍ଲୀ ଗ୍ରାମରେ ଉତ୍କଟ ଗନ୍ଧ ଯୋଗୁଁ ଅନିତା ନାୟକ ନାମକ ଜଣେ ନାବାଳିକା ମୃତ୍ୟୁ ରହସ୍ୟ ଘେରରେ ରହିଛି। ଦୁଇ ଭଉଣୀ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି। ଗାଁରେ ଏଭଳି ଅଘଟଣ ହଠାତ ଘଟିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ତେବେ ଗତକାଲିଠାରୁ କୀଟନାଶକ ଭଳି ଗନ୍ଧ ଆଜି ଧୀରେ ଧୀରେ କମିବାରେ ଲାଗିଛି। ଏ ନେଇ ତାରସିଂ ଥାନାରେ ଅପମୃତ୍ୟୁ ମାମାଲା ରୁଜୁ କରି ଅନିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର କାରଣ ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ ଏସଆଇ ଟୁନା ପିଡିକା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଅତରାଇପଲ୍ଲୀ ଗ୍ରାମର ବୀରେନ୍ଦ୍ର ନାୟକ ଓ ପତ୍ନୀ ଜୟନ୍ତୀ ନାୟକ କୁଲି କାମ କରିବା ପାଇଁ ଘରୁ ବାହାରକୁ ଯାଇଥିଲେ। ଘରେ ବ‌ୀରେନ୍ଦ୍ରଙ୍କ ୪ ଝିଅ ଓ ପୁଅ ଘରେ ଥିଲେ। ଝିଅ ଅନିତା ରୋଷେଈ କରିବା ପରେ ଘରେ ସନ୍ଧ୍ୟା‌ଧୂପ ଦେଇ ସାଙ୍ଗମାନଙ୍କ ସହ ‌ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ସେଠାରୁ ଆସି ଅନିତା ଜଣେ ସାଙ୍ଗ ଘରକୁ ଯାଇଥିଲେ। ସେ ସମୟରେ ଅଜଣା ଉତ୍କଟ ଗନ୍ଧ ବ୍ୟାପିବାରେ ଲାଗିଥିଲା। କଥାବାର୍ତ୍ତା ସମୟରେ ଅନିତା ହଠାତ ତଳେ ପଡ଼ି ଯାଇଥିଲେ। ଅନିତା ପରେ ପରେ ତାଙ୍କ ସାନ ଭଉଣୀ ଖୁସିର ଅବସ୍ଥା ମଧ୍ୟ ବିଗିଡ଼ି ଯାଇଥିଲା। ପରିବାରବର୍ଗ ସଙ୍ଗେ ସଙ୍ଗେ ଅନିତାଙ୍କୁ ପ୍ରଥମେ ନିକଟସ୍ଥ ଗ୍ରାମରେ ଥିବା ଜଣେ ଗୁଣିଆ ନିକଟକୁ ନେଇଥିଲେ। ଗୁଣିଆ ଫେରାଇ ଦେବାରୁ ପରିବାରବର୍ଗ ଅନିତା ଓ ଖୁସିଙ୍କୁ ବେଲଗୁଣ୍ଠା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବେଲଗୁଣ୍ଠା ଚିକିତ୍ସାଳୟରେ ଡାକ୍ତର ଅନିତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଖୁସିର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ତାଙ୍କୁ ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ଖୁସିକୁ ରାତିରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଗତକାଲି ସନ୍ଧ୍ୟାରେ ଗାଁରେ ହଠାତ କିଛି କୀଟନାଶକ ଭଳି ଉତ୍କଟ ଗନ୍ଧ ପ୍ରବାହିତ ହେଉଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ଦୁର୍ଗନ୍ଧ ବହୁ ମାତ୍ରାରେ ହେଉଥିବା ବେଳେ ଆଜି ସକାଳୁ ତାହା କମିବାରେ ଲାଗଥିବା ନେଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର