ଦୁଷ୍କର୍ମର ଶିକାର ହେବା ପରେ କୋଳରେ ଏକମାସର ଶିଶୁକନ୍ୟାକୁ ଧରି ନ୍ୟାୟ ମାଗୁଛି କୁମାରୀ ମା’

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଦୁମେର୍ତାର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଏବେ ଅଭିଯୁକ୍ତ ଫେରାର ହୋଇଯାଇଛି । ଏତିକିରେ ଯୁବକର ମନ ବୁଝି ନାହିଁ, ସେ ନିଜର ଜଣେ ବନ୍ଧୁଙ୍କୁ ମଧ୍ୟ ଉକ୍ତ ଯୁବତୀଙ୍କ ସହିତ ଦୁଷ୍କର୍ମ କରିବାକୁ ବାଧ୍ୟ କରିଥିଲା।

ଯୁବତୀଙ୍କୁ ଦୁହେଁ ମିଶି ଦୁଷ୍କର୍ମ କରିବା ପରେ ଏବେ ଉଭୟେ ଫେରାର ହୋଇଯାଇଛନ୍ତି। ପୀଡ଼ିତା ଦୁଷ୍କର୍ମର ଶିକାର ହେବାପରେ ଅନ୍ତସତ୍ତ୍ୱା ହୋଇଥିଲେ ଏବଂ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏବେ ପୀଡିତା ୧ ମାସର ଶିଶୁକନ୍ୟାକୁ ଧରି ନ୍ୟାୟ ପାଇଁ ବାରଦ୍ୱାର ବୁଲୁଛନ୍ତି।

ଦୁଷ୍କର୍ମକାରୀଙ୍କ ବିରୋଧରେ ଅଭିଯୋଗ ନେଇ ପୀଡିତା ମହିଳା ଥାନା ଓ ବନ୍ଧମୁଣ୍ଡା ଥାନା ବି ଯାଇଥିଲେ। କିନ୍ତୁ ଏଠାରେ ପୀଡିତାଙ୍କ ଅଭିଯୋଗକୁ ଅଣଦେଖା କରାଯାଇଥିବା କୁହାଯାଉଛି। ଏବେ କୁମାରୀ ମା’ କୋଳରେ ଶିଶୁ କନ୍ୟାକୁ ଧରି କେବେ ନ୍ୟାୟ ପାଇବେ ସେ ଅପେକ୍ଷାରେ ରହିଛନ୍ତି।

ସମ୍ବନ୍ଧିତ ଖବର