ବାମନାଳ/ବଳଙ୍ଗା/ଗୋପ: ବାଲେଶ୍ବର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମଦାହ ମାମଲା ସାରା ଓଡ଼ିଶାକୁ ଦୋହଲାଇ ଦେଇଛି। ଏହି ଘଟଣାକୁ ୭ ଦିନ ନପୂରୁଣୁ ପୁରୀଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ଅଞ୍ଚଳରୁ ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଳଙ୍ଗା ଥାନା ବାୟାବର ଗ୍ରାମ ନୂଆଗୋପାଳପୁର ପଡ଼ାର ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ନାବାଳିକାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଶରୀରର ୭୦ ରୁ ୭୫ ପ୍ରତିଶତ ପୋଡିଯାଇଛି।
ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୀଡିତାଙ୍କ ପାଇଁ ଆଗାମୀ ୪୮ରୁ ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ନାବାଳିକାଙ୍କ ମା’ ବଳଙ୍ଗା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ବହି ଦେବାକୁ ବଡ଼ବାପା ଘରକୁ ସକାଳେ ଆସୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ତାକୁ ଅପହରଣ କରି ତେରହଳ ନିକଟସ୍ଥ ଭାର୍ଗବୀ ନଦୀ ବନ୍ଧ ତଳେ କିରାସିନି ଢାଳି ନିଆଁ ଲଗାଇ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ଝିଅ ଦୁର୍ବୃତ୍ତମାନଙ୍କ କବଳରୁ ଖସି ଆସି ତେରହଳ ଗାଁ ମୁଣ୍ଡରେ ଥିବା ଦୁଃଖୀଶ୍ୟାମ ସେନାପତିଙ୍କ ଘର ପାଖରେ ପହଞ୍ଚିଥିଲେ। ତେରହଳରେ ପହଞ୍ଚିବା ବେଳକୁ ସେ ପିନ୍ଧିଥିବା ପୋଷାକ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦୁଃଖୀଶ୍ୟାମ ତୁରନ୍ତ ଡ୍ରେସ୍ ପିନ୍ଧାଇବା ସହିତ ପାଣି ପିଇବାକୁ ଦେଇଥିଲେ। ତା’ ଠାରୁ ଘର ଠିକଣା ବୁଝି ପରିବାରକୁ ଖବର ଦେଇଥିଲା। ଖବର ଶୁଣି କିଛି ଗାଁ ଲୋକେ ଲୋକେ ଓ ଘର ଲୋକେ ପହଞ୍ଚିବା ପରେ ସ୍ଥାନୀୟ ବଳଙ୍ଗା ପୁଲିସକୁ ଖବର ଦେଇଥିଲେ। ନାବାଳିକାକୁ ପ୍ରଥମେ ପିପିଲି ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ୩ ଦୁର୍ବୃତ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ସେ ନିବେଦନ କରିଛନ୍ତି।
ଘଟଣାସ୍ଥଳରେ ପୁରୀ ଏସ୍ପି, ଆଇଜିଙ୍କ ତନାଘନା
ଚପଲ, କିରାସିନି, ପୋଡ଼ା ମାଂସଖଣ୍ଡ ଜବତ
ଏହି ଘଟଣାଟି ସକାଳ ୮ଟା ପାଖାପାଖି ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଝିଅଟି ଜଳନ୍ତା ଅବସ୍ଥାରେ ଦୌଡି ଦୌଡି ପହଞ୍ଚିଥିଲା । ପୀଡିତା ହାତ ଯୋଡି କହିଲା ମୋତେ ବଞ୍ଚାଇ ଦିଅ ଓ ତଣ୍ଟି ଶୁଖିଯାଉଛି ପାଣି ଟିକେ ଦିଅ। ସେତେବେଳକୁ ଝିଅଟିର ଜଳନ୍ତା ଚମଡା ଛିଡିକି ତଳେ ପଡୁଥିଲା।ଦେହରେ କପଡ଼ା ନଥିଲା।ତେବେ ସେ ଦୁର୍ବୃତ୍ତଙ୍କୁ ଚିହ୍ନି ନଥିବା କହିଥିଲା। ଖବର ପାଇ ପ୍ରଥମେ ପୁରୀ ଏସ୍ପି ପିନାକ ମିଶ୍ର ଓ ଅତିରିକ୍ତ ଏସ୍ପି ସଚିନ ପଟେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଥିଲେ। ପୁଲିସ ପୀଡ଼ିତାର ପରିବାର ସମେତ ତାଙ୍କ ସାଙ୍ଗସାଥୀମାନଙ୍କୁ ଥାନାରେ ପଚରାଉଚରା ଆରମ୍ଭ କରିଛି। ରାସ୍ତା ପାର୍ଶ୍ବରେ ଥିବା କିଛି ସିସି କ୍ୟାମେରାକୁ ଯାଞ୍ଚ କରିଛି। ସନ୍ଧ୍ୟାରେ କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତଙ୍କୁ ଅଧିକ ତ୍ବରାନ୍ବିତ କରିଛନ୍ତି। ପୀଡ଼ିତାଙ୍କ ବୟାନ ଅନୁଯାୟୀ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି। ଅଦ୍ୟାବଧି କାହାକୁ ଅଟକ ରଖାଯାଇନାହିଁ କେବଳ ପଚରାଉଚରା ଚାଲିଛି।
ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସ୍ପି ପିନାକ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ସେ ପ୍ରକାଶ କରିଥିଲେ। ପରେ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ପୋଡ଼ି ଯାଇଥିବା ଚପଲ, କିରାସିନି ଏବଂ ଅର୍ଦ୍ଧଦଗ୍ଧ ପୋଷାକ ସହିତ ପୋଡ଼ି ଯାଇଥିବା ମାଂସଖଣ୍ଡ ଜବତ କରିଥିଲେ। ବଳଙ୍ଗା ପୁଲିସ ୫ରୁ ୧୦ ଜଣ ଲୋକଙ୍କୁ ଡାକି ଆଣି ପଚରାଉଚରା କରୁଛି। ଘଟଣାସ୍ଥଳରେ ନିମାପଡ଼ା ତହସିଲଦାର୍ ମନୋଜ କୁମାର ପ୍ରଧାନ, ବିଡିଓ ଅଭିଜିତ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍ପି ସଚିନ୍ ପଟେଲ, ପିପିଲି ଡିଏସ୍ପି ଦେବାଶିଷ ମିଶ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚୁଛନ୍ତି।
ସ୍ଥିତି ସଂକଟାପନ୍ନ