ଭାପୁର(ଢେଙ୍କାନାଳ): ସାମାଜିକ ସୁରକ୍ଷା ପାଇଁ ପୁଲିସ ବ୍ୟବସ୍ଥା ରହିଛି । କିନ୍ତୁ ବେଳେ ବେଳେ ସମାଜରେ ଆର୍ଥିକ ଅନଟନ ସହିତ ଜୀବନ ବିତାଉଥିବା ଲୋକଙ୍କୁ ପୁଲିସ ସହାୟତା ପ୍ରଦାନ କରୁ ନ ଥିବା ଅଭିଯୋଗ ହେଉଛି । ଯେଉଁଥି ପାଇଁ ବେଳେ ବେଳେ ଜୀବନ ବି ଚାଲି ଯାଉଛି । ଏଭଳି ଏକ ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଂଚଳରେ ଘଟିଥିବା ଅଭିଯୋଗ ହୋଇଛି ।

Advertisment

ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ଜଣେ ନାବାଳିକା ନିଜ ଗାଁର ଜଣେ ଯୁବକଙ୍କ ଦ୍ୱାରା ଗତ ୬ ତାରିଖରେ ଅସଦାଚରଣର ଶିକାର ହେବା ପରେ ଭାପୁର ଫାଣ୍ଡିରେ ପରିବାର ଲୋକେ ସେଦିନ ଏତଲା ଦେଇଥିଲେ । କିନ୍ତୁ ସଂପୃକ୍ତ ଯୁବକଙ୍କୁ ପୁଲିସ ସୁରକ୍ଷା ଦେବାକୁ ଯାଇ ନାବାଳିକାର ଏତଲାକୁ ଗୁରୁତ୍ୱ ଦେଇ ନଥିଲା । ଫଳରେ ନାବାଳିକା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ମାନସିକ ଭାରସାମ୍ୟ ହରାଇବା ପରେ ଶେଷରେ ବିଷ ପିଇ ଜୀବନ ହାରିଥିବା ପରିବାର ଲୋକେ ଆଜି ଏସ୍‌ପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ।

ରିପୋର୍ଟ ଅନୁସାରେ ଗତ ୬ ତାରିଖରେ ନାବାଳିକା ଜଣକ ଯୁବକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିଲେ । ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ବୋଲି ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି । ଯୁବକ ଜଣକ ଗତ ୨୮ ତାରିଖରେ ପୁଣି ଥରେ ନାବାଳିକାକୁ ଅସଦାଚରଣ କରିଥିଲା । ପରିବାର ଲୋକଙ୍କର ଅଭିଯୋଗ ଯେ, ଅସଦାଚରଣ ଘଟଣା ପରେ ଯୁବକ ଜଣକ ନାବାଳିକାକୁ ବାରମ୍ବାର ହଇରାଣ କରୁଥିଲା । ଏହି ଘଟଣାର ପୁନରାବୃତ୍ତି ହେଉଥିବାରୁ ଶେଷରେ ନାବାଳିକା ନିଯ୍ୟାତନା ସହି ନପାରି ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରଥିଲେ ।

ତେବେ ନାବାଳିକାର ଆତ୍ମହତ୍ୟା ନେଇ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଅନୁପମା ଜେମ୍‌ସ କହିଛନ୍ତି, ଘଟଣାର ତଦନ୍ତ କରାଯିବ । ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ।