ବଡ଼ଗାଁ : ପ୍ରେମିକ ଆଗରେ ବିଷ ପିଇ ଜୀବନ ହାରିଲା ନାବାଳିକା

ବଡ଼ଗାଁ : ପ୍ରେମରେ ବିଫଳ ‌ଜଣେ ନାବାଳିକା ବିଷ ପିଇ ପ୍ରାଣ ହାରିଛନ୍ତି। ତାହା ପୁଣି ପ୍ରେମିକଙ୍କ ଆଗରେ। ଫିଲ୍ମର ଦୃଶ୍ୟ ଭଳି ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ। ପୁଲିସ ମୃତ ନାବାଳିକାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ଘଟଣାଟି ଏହିପରି: ସୁନ୍ଦରଗଡ଼ ବଡ଼ଗାଁ ଥାନା ଅନ୍ତର୍ଗତ ତେଙ୍ଗରାବାହାଲ ଗାଁର ଜନୈକା ନାବାଳିକା ରାଜଗାଙ୍ଗପୁର ଡାଲମିଆଁ କଲେଜରେ +୨ରେ ପାଠ ପଢ଼ୁଥି‌ଲେ। ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ତେବେ କୌଣସି କାରଣରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଆଜି ଦିନ ପ୍ରାୟ ସାଢ଼େ ଦଶଟା ସମୟରେ କୁତ୍ରା ବସ୍‌ଷ୍ଟାଣ୍ଡରେ ଉଭୟଙ୍କର ଭେଟ ହୋଇ ଯାଇଥିଲା। ପ୍ରେମିକଙ୍କ ସହିତ କଥା ହେବାକୁ ଉଦ୍ୟମ କରିଥିଲେ ନାବାଳିକା। କିନ୍ତୁ ସେ ତାଙ୍କୁ ଏଡ଼ାଇ ଯାଇଥିଲେ। କୌଣସି କାରଣରୁ ବୋଧହୁଏ ସେଭଳି ପରିସ୍ଥିତିକୁ ନାବାଳିକା ଜଣକ ଆଶଙ୍କା କରୁଥିଲେ ଏବଂ ନିଜ ସାଥିରେ ଏକ ବିଷ ଭରା ବୋତଲ ଆଣିଥିଲେ। ପ୍ରେମିକଙ୍କ ଏଭଳି ଅଣ‌ଦେଖାରୁ ନିରାଶ ହୋଇ ନାବାଳିକା ଜଣକ ସେହି ବିଷ ପିଇ ଦେଇଥିଲେ। ସେ ବିଷଜ୍ବାଳାରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ କୁତ୍ରା ଡାକ୍ତରଖାନାକୁ ନେଇଥିଲେ। ସେଠା‌ରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ‌ଘଟିଛି।

ସମ୍ବନ୍ଧିତ ଖବର