ବାରିପଦା: ଶୁକ୍ରବାର ରାତି ଲଗାଣ ବର୍ଷାରେ ମାଟିକାନ୍ଥ ଭୁଶୁଡ଼ି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନ ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗ୍ରାମର ଅନୀଲ କୁମାର ଗିରିଙ୍କ ଦୁଇ ନାବାଳିକା ଝିଅ ସ୍ବିଟି ଓ ନିହାରିକାଙ୍କ ମୃତ୍ୟୁ ହୋଇଥିଲା। ଆଜି ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଅନୁରୂପ ଭାବେ ମାଟିକାନ୍ଥ ଭୁଶୁଡ଼ି ଅନ୍ୟଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଉଛନ୍ତି; ୧୯ ନମ୍ବର ୱାର୍ଡ ରଘୁନାଥପୁରର ସଂଜୟ ବେହେରାଙ୍କ ୧୦ ବର୍ଷର ଝିଅ ମୋନି ବେହେରା। ସଂଜୟଙ୍କ ପରିବାର କହିଲେ ପତ୍ନୀଙ୍କ ସହ ୩ ଝିଅ ଓ ଜଣେ ପୁଅ। ମୋନି ହେଉଛନ୍ତି ସବୁଠୁ ବଡ଼। ଆଜି ଅପରାହ୍ନ ୪ଟାରେ ସମସ୍ତେ ଘରେ ବସିଥିବା ବେଳେ ଓଦା ହୋଇଥିବା ମାଟିକାନ୍ଥଟି ହଠାତ୍ ମୋନିଙ୍କ ଉପରେ ପଡ଼ିଯାଇଥିଲା।
ମୋନିଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ଶହଶହ ଲୋକ ଡାକ୍ତରଖାନା ଏବଂ ମୋନିଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ବିଜେଡି ପକ୍ଷରୁ ମୃତ ମୋନିଙ୍କ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବାରିପଦା ତହସିଲଦାର ବିକ୍ରମ କେଶରୀ ପରିଡ଼ାଙ୍କ ଉପସ୍ଥିତିରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶକ୍ରମେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଅର୍ଥରାଶି ମୋନିଙ୍କ ବାପା ସଂଜୟଙ୍କୁ ଦେଇଛନ୍ତି।
ତେବେ ଖୁବ୍ଶୀଘ୍ର ସଂଜୟଙ୍କୁ ଆବାସ ଗୃହ ଯୋଗାଯିବା ବ୍ୟବସ୍ଥା ହେବ ବୋଲି ନଗରପାଳ ଶ୍ରୀ ମହାନ୍ତି କହିଛନ୍ତି। ତେବେ ଜିଲ୍ଲା ସଦର ମହକୁମାରେ ଏହି ଅଘଣା ଘଟିଥିଲେ ବି ଜିଲ୍ଲାପାଳ ବିନୀତ ଭରଦ୍ବାଜ ମୃତକଙ୍କ ପରିବାରକୁ ସମବେଦନା ଜଣାଇବାକୁ ଗଲେନି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କୁ ଫୋନ୍ ଦ୍ବାରା ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍ ଉଠାଇ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/27-16.jpg)