ଇଞ୍ଜେକ୍‌ସନ ଓଭରଡୋଜ୍‌ରୁ ନାବାଳିକା ମୃତ!, ଯାଜପୁର ଡାକ୍ତରଖାନାରେ ଉତ୍ତେଜନା, ମାମଲା ରୁଜୁ 

ଯାଜପୁର ଟାଉନ : ଇଞ୍ଜେକସନ୍‌ ଓଭରଡୋଜ୍‌ରୁ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାରର ଅଭିଯୋଗରେ ପୁଲିସ ମକଦ୍ଦମା ରୁଜୁ କରିଛି। କୁଆଖିଆ ଥାନା ଅଧୀନ ହରିପୁର ଗାଁର ନୀଳମଣି ବରାଳଙ୍କ ଝିଅ ପୂଜାରାଣୀ ବରାଳ(୧୦) ଆଜି ବାତ ରୋଗରେ ପୀଡ଼ିତ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମେଡିକାଲ ପକ୍ଷରୁ ତାଙ୍କୁ ବାତ ରୋଗ ପାଇଁ ଏମୋସୋରିନ  ଇଞ୍ଜେକସନ୍‌ ଦିଆଯାଇଥିଲା।  ପୂର୍ବରୁ ସେ ଗୋଟିଏ ଇଂଜେକସନକୁ ତିନିଭାଗ କରି ନେଉଥିବା ବେଳେ ଆଜି ତାଙ୍କୁ ଏକାଥରକେ ଦିଆଯାଇଥିଲା। ଇଂଜେକ୍‌ସନ୍‌ର ମାତ୍ରା ଅଧିକ ହୋଇଥିବାରୁ ନାବାଳିକାର ପାଟିରୁ ଫେଣ ବାହାରିବା ସହିତ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ମେଡ଼ିକାଲ କର୍ତୃପକ୍ଷ ତରବରିଆ ଭାବେ  ପ୍ରସୂତି କାଳୀନ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରରୁ ତଡ଼ି ଦେଇଥିଲେ। ଶବ ବ୍ୟବଚ୍ଛେଦ ନ କରି  ଜୋର ଜବରଦସ୍ତ ସ୍ବର୍ଗରଥ ଗାଡ଼ିରେ ମୃତଦେହକୁ ଘରକୁ ପଠାଇ ଦେଇଥିଲେ।  ଗ୍ରାମବାସୀ ସେହି ଗାଡ଼ିରେ ମୃତ ନାବାଳିକାକୁ ପୁଣି ମେଡ଼ିକାଲକୁ ଆଣିଥିଲେ। ମେଡ଼ିକାଲରେ ଉତ୍ତେଜନା ବୃଦ୍ଧି ପାଇଥିଲା।  ପରେ ମୃତ ନାବାଳିକାର ଶବ ବ୍ୟବଚ୍ଛେଦ କରାଯାଇଥିଲା।  ଯାଜପୁର ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି। ସେପଟେ ଏଭଳି ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃପକ୍ଷ  ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସିଡିଏମ୍‌ଓ ରଶ୍ମିପ୍ରକାଶ ଶତପଥୀ କହିଛନ୍ତି ଆବଶ୍ୟକ ପରିମାଣର ଇଞ୍ଜେକସନ ଦିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ସବୁପ୍ରକାର ଚେଷ୍ଟା ସତ୍ତ୍ବେ ନାବାଳିକାର ଜୀବନ ବଞ୍ଚାଇ ପାରିଲୁନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର