ଗୁପ୍‌ଚୁପ୍‌ ଖାଇବା ଆଶା ମଉଳି ଗଲା, ବାଇକ୍‌ ଧକ୍କାରେ ନାବାଳିକାର ମୃତ୍ୟୁ

ପଦ୍ମପୁର: ଚୁପ୍‌ଚୁପ୍‌ ଖାଇବା ପାଇଁ ରାସ୍ତା ପାର ହେଉଥିବା ବେଳେ ବାଇକ୍‌ ଧକ୍କାରେ ଜନୈକା ନାବାଳିକାର ମୃତ୍ୟୁ ହୋଇଛି। ମୃତା ଜଣକ ହେଲେ ନୂଆପଡ଼ା ଜିଲ୍ଲା ସିଲେଟପଡ଼ାର ଉପେନ୍ଦ୍ର ଗଡ଼ତିଆଙ୍କ ଝିଅ ଶ୍ରେୟାଂଶି (୧୩)।

ଉପେନ୍ଦ୍ର ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରନ୍ତି। ନିଜର ପରିବାର ଧରି ପଦ୍ମପୁର ନେହେରୁଗଳି ଛକରେ ଅଟକି ଥିଲେ। ଏହି ସମୟରେ ତାଙ୍କ ଝିଅ ଶ୍ରେୟାଂଶି ଗୁପ୍‌ଚୁପ୍‌ ଖାଇବାକୁ ଇଛା ପ୍ରକାଶ କରିଥିଲା। ଉପେନ୍ଦ୍ରଙ୍କ ପତ୍ନୀ ଝିଅର ହାତକୁ ଧରି ରାସ୍ତାପାର ହୋଇ ଗୁପ୍‌ଚୁପ୍‌ ଦୋକାନକୁ ଆସୁଥିଲେ। ଏହି ସମୟରେ ଲୋକେଶ ସାହୁ ନାମକ ଜନୈକ ଯୁବକ କ୍ଷୀପ୍ର ଗତିରେ ବାଇକ୍‌ରେ ଆସି ଶ୍ରେୟାଂଶିକୁ ଧକ୍କା ଦେଇଥିଲା। ଫଳରେ ସେ କଚାଡ଼ି ହୋଇ କିଛି ଦୂର ଘୋଷାରି ହୋଇଯାଇଥିଲା।

ସେଠାରେ ତାର ପ୍ରାଣବାୟୁ ଚାଲିଯାଇଥିଲା। ଏହି ଅଘଟଣକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳରେ ପୁଲିସ୍‌ ପହଂଚି ଲୋକଙ୍କୁ ବୁଝାଶୁଝା କରିବା ସହ ଶବ ବ୍ୟବଛେଦ ପାଇଁ ଉପଖଣ୍ତ ଚିକିତ୍ସାଳୟକୁ ପଠାଇଥିଲା। ବାଇକ ଆରୋହୀ ଲୋକେଶକୁ ପୁଲିସ୍‌ ଥାନାରେ ଆଣି ଅଟକ ରଖିଛି।

ସମ୍ବନ୍ଧିତ ଖବର