ରାଇଘର: ଘର ଲିପିବାକୁ ବ୍ୟବହାର ହେଉଥିବା ରଙ୍ଗମାଟି ଆଣିବାକୁ ଯାଇ ମାଟି ଅତଡ଼ା ଖସି ଜଣେ ନାବାଳିକାଙ୍କ ଜୀବନ ଚାଲି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ନାକଟିସିମୋଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଜଣକ ଉକ୍ତ ଗ୍ରାମର ରୁମା ଗଣ୍ଡଙ୍କ ଝିଅ ବୁଦୁନି ଗଣ୍ଡ (୧୪)ବୋଲି ଜଣାପଡିଛି।

Advertisment

ସୂଚନା ଅନୁଯାଇ ଆଜି ସକାଳ ୮ଟାରେ ନାକାଟିସିମଡା ଅଞ୍ଚଳର ପାଞ୍ଚ ଜଣ ଝିଅ ରଙ୍ଗମାଟି ଆଣିବାକୁ ସେଠାରୁ ପ୍ରାୟ ଦେଢ କିଲୋମିଟର ଦୂର ଏକ ପହାଡ଼ ନିକଟକୁ ଯାଇଥିଲେ। ରଙ୍ଗମାଟି କାଢିବା ସମୟରେ ବୁଦୁନି ଗଣ୍ଡ ଓ ଶିବରାତ୍ରି ଗଣ୍ଡଙ୍କ ଉପରେ ମାଟି ଖସିବା ଆରମ୍ଭ ହୋଇଥିଲା। ସେମାନେ କିଛି ବୁଝିବା ଆଗରୁ ପ୍ରାୟ ୧୦ ଫୁଟ ଉପରୁ ମାଟି ଅତଡ଼ା ଖସି ସେ ଦୁହିଁଙ୍କ ଉପରେ ଅଜାଡ଼ି ହୋଇ ଯାଇଥିଲା। ଫଳରେ ସେମାନେ ମାଟି ତଳେ ପୋତି ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଝିଅ ମାନେ ଏହା ଦେଖି ତୁରନ୍ତ ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ କିଛି ଗ୍ରାମବାସୀ ଆସି ସେ ଦୁହିଁଙ୍କୁ ଉଦ୍ଧାର କରିଥିଲେ ।

ମାଟି ତଳେ ପୋତି ହୋଇ ଶ୍ୱାସରୁଦ୍ଧ ଯୋଗୁଁ ବୁଦୁନିଙ୍କ ମୃତ୍ୟୁ ଘଟିଥିବା ବେଳେ ଶିବରାତ୍ରିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜୋଡିଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ତାଂକ ଅବସ୍ଥା ଶୋଚନୀୟ ରହିଥିବାରୁ ତାଙ୍କୁ ଉମରକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଭଳି ଦୁଃଖଦ ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅପରପକ୍ଷରେ ଖବର ପାଇ ରାଇଘର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏ ନେଇ ରାଇଘର ଥାନାରେ  ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସ୍ଥାନୀୟ ଥାନା ଏ ଏସ ଆଈ ମେନକା ସା ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି।