ରାଉରକେଲା: ମେ’ଫେୟାର ହକି ଭିଲେଜ୍‌ରେ ସୁଇମିଂ ଶିଖୁଥିବାବେଳେ ବୁଡ଼ିଯାଇଥିବା ୪ ବର୍ଷୀୟା ନାବାଳିକା ସନେହା ସିଂହ ଓରଫ୍‌ ଈଷାର ଶବ ବ୍ୟବଚ୍ଛେଦପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ରବିବାର ସକାଳେ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ରେ ଶୋକର ଛାୟା ଖେଳିଯାଇଥିଲା। ଦୁନିଆ ଦେଖିବାକୁ ପୂର୍ବରୁ ଇହଧାମ ତ୍ୟାଗ କରିଥିବା ନିଷ୍ପାପ ଝିଅର ଶବ ପା‌ଖରେ ବସି ଦୀର୍ଘ ସମୟଧରି କାନ୍ଦିଥିଲେ ବାପା-ମା’, ବଡ଼ଭାଇ ଓ ପ୍ରିୟଜନ। ସେମାନଙ୍କ ଛାତିଫଟା କାନ୍ଦରେ ଆଇଜିଏଚ୍‌ ପରିସର ମଧ୍ୟ ଶୋକରେ ଭରିଯାଇଥିଲା। ସେମାନଙ୍କ ଆଖିରୁ ଲୁହ ବନ୍ଦ ହେବାର ନାଁ ନେଉନଥିଲା। ମେ’ଫେୟାର ହକି ଭିଲେଜ୍‌ର ସୁଇମିଂ ପୁଲ୍‌ ପରିଚାଳନା ଦାୟିତ୍ବରେ ଥିବା ସନ୍ତୋଷ ବିଶ୍ବାଳ, ଦୁଇ ପ୍ରଶିକ୍ଷକଙ୍କ ଘୋର୍‌ ଅବହେଳା ଯୋଗୁଁ, ଅକାଳରେ ଈଷାଙ୍କ ଜୀବନ ଦୀପ ଲିଭିଯାଇଥିବା ପରିବାରବର୍ଗ; ଅଭିଯୋଗ କରିଛନ୍ତି। ପରିବାରବର୍ଗଙ୍କ ପକ୍ଷରୁ ଛେଣ୍ଡ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ମାମଲା(କେସ୍‌ ନଂ-୧୪୪, ଦଫା-୧୦୬(୧)/୩(୫) ରୁଜୁ କରିଛି। ତେବେ ସୁଇମିଂ ପୁଲ୍‌ ଦାୟିତ୍ବରେ ଥିବା ବ୍ୟକ୍ତି, ଟ୍ରେନରଙ୍କ ନାଁରେ ମାମଲା ରୁଜୁ‌ ହୋଇନଥିବା ଛେଣ୍ଡ୍‌ ପୁଲିସ ସୂଚନାରୁ ପ୍ରକାଶ।
Advertisment
ବାସ୍ତବରେ, ସୁଇମିଂ ଶିଖାଇବା ନାଁରେ ଏଠାରେ ଅର୍ଥ ରୋଜଗାର ପାଇଁ କର୍ତ୍ତୃପକ୍ଷ ଲାଗିପଡ଼ିଥିଲେ। ଲୋକଙ୍କଠାରୁ ମାସିକିଆ/ତିନି ମାସିଆ ଭିତ୍ତିରେ ଫି’ ନେଉଥିଲେ, କିନ୍ତୁ ଯେଭଳିଭାବେ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା କଥା ତାହା ଦିଆଯାଉନଥିଲା। ଏଠାରେ ଦୁଇ ଜଣ ପ୍ରଶିକ୍ଷକ ମଧ୍ୟ ଅଛନ୍ତି, କିନ୍ତୁ ସେମାନଙ୍କର ଅପରାଗତା ହେଉ ଅବା ଚିରାଚରିତ ଅବହେଳା, ପ୍ରଶିକ୍ଷାର୍ଥୀଙ୍କ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦିଆଯାଉନଥିଲା। ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରିବାକୁ କିଛି ଲୋକ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ କୁଆଡ଼େ କିଛି ଶୁଣିନଥିଲେ। ଅପରପକ୍ଷରେ ଏହି ସୁଇମିଂ ପୁଲ୍‌କୁ ବିନା ଟେଣ୍ଡର୍‌ରେ ସଂପୃକ୍ତ ବ୍ୟକ୍ତଙ୍କୁ ଭଡ଼ାରେ ଲଗାଯାଇଥିବା କୁହାଯାଉଛି। ମେ’ଫେୟାର ହକି ଭିଲେଜ୍‌ କର୍ତ୍ତୃପକ୍ଷ ଓ ଶ୍ରୀ ବିଶ୍ବାଳଙ୍କ ମଧ୍ୟରେ କୌଣସି ପ୍ରକାର ଚୁକ୍ତିନାମା ହୋଇନଥିବା ଚର୍ଚ୍ଚା ହେଉଛି। ସଂପୂର୍ଣ୍ଣ ଅନଭିଜ୍ଞ ଜଣେ ବ୍ୟକ୍ତିଙ୍କୁ କିଭଳି ଓ କେଉଁ ଉଦ୍ଦେଶ୍ୟରେ ସୁଇମିଂ ପୁଲ୍‌ ପରିଚାଳନା ଦାୟିତ୍ବ ଦିଆଗଲା? ପ୍ରଶିକ୍ଷଣ ପାଇଁ ନିୟୋଜିତ ଦୁଇ ଟ୍ରେନର୍‌ ଅଭିଜ୍ଞ ତଥା ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ କି? ଦୁଇ ଟ୍ରେନର ପୂର୍ବରୁ କେଉଁଠି ପ୍ରଶିକ୍ଷଣ ଦେଇଥିଲେ ନା କେବଳ ଅର୍ଥ ରୋଜଗାର ପାଇଁ ନିଜର ଅନୁଗତଙ୍କୁ ତଥାକଥିତ ଟ୍ରେନର୍‌ଭାବେ ନିଯୁକ୍ତି ଦିଆଯାଇଥିଲା? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କିମାରିଛି। ମେ’ଫେୟାର ହକି ଭିଲେଜ୍‌ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ନଦେବା, ନିଶ୍ଚିତଭାବରେ ଦୁର୍ଭାଗ୍ୟଜନକ। ଘଟଣା ଦିନ, ଅର୍ଥାତ୍‌ ଶନିବାର ଅପରାହ୍ନରେ ଈଷା ସୁଇମିଂ ଶିଖୁଥିବାବେଳେ ବୁଡ଼ିଯାଇଥିଲେ। ଈଷା ବୁଡ଼ିବାର ୧୫/୨୦ ମିନିଟ ଯାଏ ଟ୍ରେନର ଏ ବିଷୟରେ ଜାଣିନପାରିବା, ଶୌଚାଳୟ ଯାଇଥିବାଭଳି ଅଯୁକ୍ତିକର ପ୍ରତ୍ୟୁତ୍ତର ଦେବା, ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ଏହି ସ୍ପର୍ଶକାତର ଘଟଣାରେ ଏକାଧିକ ଅବହେଳା ପରିଲକ୍ଷିତ ହୋଇଛି। ମୃତକଙ୍କ ମା’ ଝିଅ ବିଷୟରେ ପଚାରିବା ସତ୍ତ୍ବେ ଦୁଇ ଟ୍ରେନର ଗୁରୁତ୍ବର ସହ ନେଇନଥିଲେ। ମା’ଙ୍କ ଆଶଙ୍କାପରେ ମଧ୍ୟ ଈଷାକୁ ଖୋଜାଖୋଜି କରିନଥିଲେ, ଫଳରେ ଉଦ୍ଧାରକାର୍ଯ୍ୟରେ ଅହେତୁକ ବିଳମ୍ବ ଘଟିଥିଲା। ଏମିତିକି ଈଷାଙ୍କୁ ଡାକ୍ତରଖାନାକୁ ଆଣିବାରେ ମଧ୍ୟ ମେର୍‌ ବିଳମ୍ବ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।