ଭଦ୍ରକ/ବାରିକପୁର: ରବିବାର ଅପରାହ୍ଣରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବିଷ୍ଣୁପୁର ଛକ ନିକଟରେ ଘଟିଛି ଅଘଟଣ। ୧୬ ନମ୍ବର ଜାତୀୟ ରାଜପଥର ନିର୍ମାଣାଧୀନ ଓଭରବ୍ରିଜ୍‌ରୁ ସ୍ଲାବ୍‌ ଖସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ନାବାଳିକା ହେଉଛନ୍ତି ଭଦ୍ରକ ବ୍ଲକ୍‌ ବହୁଦରଡ଼ା ପଞ୍ଚାୟତ ବେନ୍ତାଳିଆ ଗ୍ରାମର ଭଜ ମଲ୍ଲିକଙ୍କ ଝିଅ କବିତା ମଲ୍ଲିକ (୧୨)। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଠିକା କମ୍ପାନି ଜେସିବିକୁ ପୋଡ଼ି ଦେଇଥିବା ବେଳେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

Advertisment

ସୂଚନା ମୁତାବକ, ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମ ଚାଲିଥିବା ବେଳେ ଧାମନଗର ଥାନା ବିଷ୍ଣୁପୁର ଛକଠାରେ ଓଭର୍‌ବ୍ରିଜ୍‌ ନିର୍ମାଣ ଜାରି ରହିଛି। ତେବେ ଆଜି ଅପରାହ୍‌ଣ ସାଢ଼େ ୪ଟା ବେଳେ ଓଭରବ୍ରିଜ୍‌ର ପ୍ରୋଟେକ୍‌ସନ୍‌ ୱାଲ୍‌ରୁ ଏକ ସ୍ଲାବ୍‌ ଖସିପଡ଼ିଥିଲା। ଏହି ସମୟରେ ସେହି ରାସ୍ତାରେ ଯାଉଥିବା କବିତାଙ୍କ ଉପରେ ସ୍ଲାବ୍‌ ପଡ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ଠିକା କମ୍ପାନି ଡିବିଏଲ୍‌ର ଏକ ଜେସିବିକୁ ପୋଡ଼ି ଦେଇଥିଲେ। ସେହିପରି କ୍ଷତିପୂରଣ ଦାବିରେ ଶବ ରଖି ରାଜପଥ ଅବରୋଧ କରିଥିଲେ। ଖବର ପାଇ ଧାମନଗର ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ସେମାନେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରି ଦାବିରେ ଅଡ଼ିବସିଛନ୍ତି। ଘଟଣାସ୍ଥଳକୁ କୌଣସି ଉଚ୍ଚପଦାଧିକାରୀ ଆସି ନଥିବା ବେଳେ ରାସ୍ତାରୋକ ଜାରି ରହିଛି। ଫଳରେ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି।