ଅପହରଣ ଓ ଦୁଷ୍କର୍ମର ମାସକ ପରେ ଅପହର୍ତ୍ତାଙ୍କ କବଳରୁ ମୁକ୍ତହେଲେ ନାବାଳିକା ପୀଡ଼ିତା !

ଡାକ୍ତରୀମାଇନା ପରେ ହେବ ବୟାନ ରେକର୍ଡ

ବାରିପଦା: ଅପହରଣ, ଦୁଷ୍କର୍ମ ପରେ ଶାରିରୀକ ନିର୍ଯାତନା । ମାସାଧିକାଳ ନାନା ଯନ୍ତ୍ରଣା ସହିବା ପରେ ଶେଷରେ ଅପହର୍ତ୍ତାଙ୍କ କବଳରୁ ମୁକୁଳିଛନ୍ତି ଜଣେ ନାବାଳିକା ପୀଡ଼ିତା। ଗତ ମାସ ୧୭ତାରିଖରେ ମୟୂରଭଂଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ହୋଇଥିବା ଏହି ଘଟଣାରେ ଜଣେ ୧୫ବର୍ଷୀୟ ନାବାଳିକା ଅପହର୍ତ୍ତା ଏବଂ ତାଙ୍କ ପରିବାର ପକ୍ଷରୁ ମାନସିକ ଏବଂ ଯନ୍ତ୍ରଣାଦାୟକ ଶାରିରୀକ ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇଁ ଏସ୍‌ପି’ଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ଏ ନେଇ ଅପହରଣର ଦୁଇ ଦିନ ପରେ ବଡ଼ସାହି ଥାନାରେ ଅପହର୍ତ୍ତା ରମାକାନ୍ତ ସିଂ(୨୦) ଓରଫ୍‌ ପାଣ୍ଡେ’ଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଥାନା ଅଞ୍ଚଳର ଅର୍ଜୁନବାରିଆ(ବାଉଁଶବଣୀ ସାହି)ର ଅପହର୍ତ୍ତା ଜଣଙ୍କ ଘରେ କେହି ନ ଥିବାରୁ ସୁଯୋଗ ନେଇ ନାବାଳିକାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।

The Statesman

ତେବେ ଅପହରଣ ପରେ ନାବାଳିକାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା । ମା’ଙ୍କ ଦେହ ଖରାପ ଥିବା ମିଛ କହି ତାଙ୍କୁ ଘରୁ ଅପହରଣ କରିନେଇଥିବା ନାବାଳିକା ଜଣଙ୍କ ପ୍ରକାଶ କରିଛନ୍ତି। ଏହାପରେ ଅପହର୍ତ୍ତା ପାଣ୍ଡେ ତାଙ୍କୁ ନୂଆ ନୂଆ ଜାଗାକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ପ୍ରକାଶ କରିଛନ୍ତି। ମଦ ପିଇ ଗୋଟିଏ ଘରେ ବନ୍ଦ କରି ତାଙ୍କ ସହିତ ଦୁଷ୍କର୍ମ ସହିତ ନାନା କଦର୍ଯ୍ୟ କାମ କରିଥିବା ପୀଡ଼ିତା ପ୍ରକାଶ କରିଛନ୍ତି। ଏହି ଘଟଣାରେ ଅପହର୍ତ୍ତାଙ୍କ ପରିବାରବର୍ଗ ମଧ୍ୟ ସାମିଲ ଥିବା ସେ କହିଛନ୍ତି।

ସେହିପରି ଏହି ଘଟଣାକୁ ରଫାଦଫା କରିବା ସହିତ ଥାନାରୁ ମାମଲା ପ୍ରତ୍ୟାହାର କରିବା ପାଇଁ ପୀଡ଼ିତାଙ୍କ ପରିବାରକୁ ଅଭିଯୁକ୍ତ ଏବଂ ତାଙ୍କର ସମ୍ପର୍କୀୟମାନେ ଧମକ ଦେଉଥିବା ପୀଡ଼ିତାଙ୍କ ମା’ କହିଛନ୍ତି। ତେବେ ଗତକାଲି ନାବାଳିକାଙ୍କୁ ଅପହର୍ତ୍ତାଜଣଙ୍କ ଏକ ଜଙ୍ଗଲ ନିକଟରେ ଛାଡ଼ିଦେଇ ଯାଇଥିବା ନାବାଳିକାଜଣଙ୍କ କହିଛନ୍ତି। ଏନେଇ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା। ମାତ୍ର ଏଯାବତ ଅପହର୍ତ୍ତା ଗିରଫ ହୋଇନଥିବାରୁ ନ୍ୟାୟ ପାଇଁ ଆଜି ଏସ୍‌ପିିଙ୍କ ଦ୍ଵାରସ୍ଥ ହୋଇଛନ୍ତି ପିଡ଼ୀତାଙ୍କ ପରିବାରବର୍ଗ।

ଏସ୍‌ପି’ଙ୍କ କାର୍ଯ୍ୟାଳୟରୁ ପୀଡ଼ିତା ଏବଂ ତାଙ୍କ ପରିବାର ବେତନଟୀ ଏସ୍‌ଡିପିଓଙ୍କ ନିକଟକୁ ଯାଇଛନ୍ତି। ସେଠାରେ ପୀଡ଼ିତାଙ୍କୁ ପଚରାଉଚୁରା କରାଯିବା ସହିତ ଡାକ୍ତରୀମାଇନା କରାଯିବ ଏବଂ କୋର୍ଟରେ ୧୬୪ରେ ବୟାନ ରେକର୍ଡ କରାଯିବାନେଇ ସୂଚନା ମିଳିଛି। ଆଜି ରାତିରେ ପୀଡ଼ିତାଙ୍କୁ ସ୍ୱଧାର ଗୃହରେ ରଖାଯିବ। ଏହି ଘଟଣାରେ ଅଭିଯୁକ୍ତକୁ ଧରିବାକୁ ପୁଲିସ୍‌ ସବୁପ୍ରକାର ଚେଷ୍ଟା କରିଥିବା ବଡ଼ସାହି ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର