ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ହଣ୍ଡପା ଥାନା ଜାମୁନାଳି ପଞ୍ଚାୟତ ଗୋଳାସର ଗାଁର ଶିଶୁକନ୍ୟା ରାଧାରାଣୀ ସାହୁ ୨୦ଫୁଟ୍ ଗଭୀର ବୋରେଓ୍ଵଲ୍ ଖାତରେ ପଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦେଶକ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି।
ଯନ୍ତ୍ରୀ ଶ୍ରୀ ମହାନ୍ତି ବୋରେଓ୍ଵଲ୍ ଖନନ କାର୍ଯ୍ୟର ତଦାରଖ ଦାୟିତ୍ୱରେ ଥିଲେ। କିନ୍ତୁ ବୋରେଓ୍ଵଲ୍ ଖନନ ଅଧାରୁ ବିଫଳ ହେବା ପରେ ତାହାକୁ ନପୋତି ମୁକୁଳା ଛାଡ଼ି ଦିଆଯାଇଥିଲା। ଫଳରେ ଗତ ସୋମବାର ୩ବର୍ଷର ଶିଶୁକନ୍ୟା ରାଧାରାଣୀ ବୋରେଓ୍ଵଲ୍ ଗାତରେ ଖସି ପଡ଼ିଥିଲେ। ଦୀର୍ଘ ସାତ ଘଣ୍ଟା ଅପରେସନ୍ ପରେ ତାଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ କେଉଁ ପରିସ୍ଥିତିରେ ବୋରେଓ୍ଵଲ୍ ମୁକୁଳା ପଡ଼ିଥିଲା, ତାହାର ତଦନ୍ତ କରିବାକୁ ଜିଲ୍ଲାପାଳ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ନିର୍ବାହୀ ଯନ୍ତ୍ରୀ ସରୋଜ ପ୍ରସାଦ ମିଶ୍ରଙ୍କ ତଦନ୍ତ ରିପୋର୍ଟରେ ଯନ୍ତ୍ରୀ ଶ୍ରୀ ମହାନ୍ତି ଏବଂ ବୋରେଓ୍ଵଲ୍ ଖୋଳିଥିବା ଛତିଶଗଡ଼ର ଗଣେଶ ବୋରେଓ୍ଵଲ୍ ନାମକ ସଂସ୍ଥାକୁ ମୁକୁଳା ବୋରେଓ୍ଵଲ୍ ପାଇଁ ଦାୟୀ କରାଯାଇଥିଲା।
ଏହି ରିପୋର୍ଟ ଆଧାରରେ ଜିଲ୍ଲାପାଳ ମଂଗଳବାର ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସଂପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ରାଜ୍ୟ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ସୁପାରିସ କରିଥିଲେ। ଜିଲ୍ଲାପାଳଙ୍କ ସୁପାରିସ ଆଧାରରେ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦେଶକ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ କରିଛନ୍ତି। ନିଲମ୍ବିତ ଶ୍ରୀ ମହାନ୍ତି ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଦିନ ହାଜିରା ପକାଇବାକୁ ଆଦେଶ ଦିଆଯାଇଛି।