ହୋଟେଲରେ ଜାମସେଦପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ : ୮ ଦିନ ଧରି ଦୁଷ୍କର୍ମ କରିଥିଲେ ୪ ପୁଲିସ କର୍ମଚାରୀ, ଅଭିଯୁକ୍ତଙ୍କୁ ଖୋଜା ଚାଲିଛି

ଝାରସୁଗୁଡ଼ା : ଜାମସେଦପୁର ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକା ‌ଝାରସୁଗୁଡ଼ାରେ ୪ ଜଣ ପୁଲିସ କର୍ମଚାରୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ପରେ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜାମସେଦପୁର ଟେଲକୋ ଥାନାରେ ନାବାଳିକା ଜଣକ ଅଭିଯୋଗ କରିଛନ୍ତି ଯେ, ଝାରସୁଗୁଡ଼ାର ଏକ ହୋଟେଲରେ ୪ ଜଣ ପୁଲିସ କର୍ମଚାରୀ ତାଙ୍କୁ ଲଗାତାର ୮ ଦିନ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ରାୟପୁରର ଏକ ହୋଟେଲକୁ ନିଆଯାଇଥିଲା। ସେଠାରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ସେ ତାଙ୍କର ଜଣେ ସଂପର୍କୀୟଙ୍କ ସହ ଝାରସୁଗୁଡ଼ା ଆସି ହୋଟେଲରେ ରହିଥିବା ବେଳେ ଏହି ଘଟଣା ଘଟିଥିଲା। ତେବେ ନିର୍ଦ୍ଦିଷ୍ଟ କେଉଁ ହୋଟେଲରେ ଏହି ଘଟଣା ଘଟିଛି ଓ ଅଭିଯୁକ୍ତ ପୁଲିସ କର୍ମୀମାନେ କେଉଁ ସ୍ଥାନର ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ନାବାଳିକାଙ୍କୁ ଝାରସୁଗୁଡ଼ା ଆଣିଥିବା ଯୁବକଠାରୁ ହିଁ ପ୍ରକୃତ କଥା ଜଣାପଡ଼ିବ ବୋଲି ଜିଲ୍ଲା ପୁଲିସ ଆଶା କରୁଛି।

ନାବାଳିକା ଜଣକ ବର୍ତ୍ତମାନ ପୂର୍ବ ସିଂହଭୂମ ଜିଲ୍ଲା ସିଡବ୍ଲୁସି ହେପାଜତରେ ଥିବାବେଳେ ଖୁବ୍‌ ଶୀଘ୍ର ତଦନ୍ତ ପାଇଁ ଜାମସେଦପୁର ପୁଲିସ ଝାରସୁଗୁଡ଼ା ଆସିବ ବୋଲି ଏସ୍‌ପି ଅଶ୍ବିନୀ ମହାନ୍ତି କହିଛନ୍ତି। ତାଙ୍କୁ ଦୁଷ୍କର୍ମ କରିଥିବା ପୁଲିସ କମର୍ଚାରୀଙ୍କୁ ଦେଖିଲେ ସେ ଚିହ୍ନି ପାରିବେ ବୋଲି ନାବାଳିକା ଜଣକ କହିଛନ୍ତି। ଏହା ସହିତ ତାଙ୍କ ବଡ଼ ଭଉଣୀ ଓ ଭିଣୋଇ ଜବରଦସ୍ତ ତାଙ୍କୁ ଖରାପ କାମରେ ଲିପ୍ତ କରାଇଥିବା ମଧ୍ୟ ନାବାଳିକା ଜଣକ ସେଠାରେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ସହରରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର