ଲକ୍‌ଡାଉନରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ମହିଳା କମିସନରେ ଆଜି ହାଜର ହେବେ ଓଟିଭି ଏମ୍‌ଡି

ଭୁବନେଶ୍ୱର : ଲକ୍‌ଡାଉନରେ ରାଜଧାନୀରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ଆସନ୍ତାକାଲି ସୋମବାର ମହିଳା କମିସନଙ୍କ ନିକଟରେ ହାଜର ହେବେ ଓଟିଭି ଏମ୍‌ଡି ଜାଗିମଙ୍ଗତ ପଣ୍ଡା। ଗତ ୧୪ ତାରିଖରେ କମିସନଙ୍କ ପକ୍ଷରୁ ହୋଇଥିବା ନୋଟିସ୍ ଆଧାରରେ ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହେବେ ବୋଲି ଦିନ ଧାର୍ଯ୍ୟ ହୋଇଛି। ପୀଡ଼ିତା ନାବାଳିକାଙ୍କ ମା’ଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗକୁ ଏବଂ ଦାଖଲ କରାଯାଇଥିବା ଅଡିଓ କ୍ଲିପକୁ ଆଧାର କରି ଏହି ନୋଟିସ୍ କରା ଯାଇଛି।

ପୀଡ଼ିତାଙ୍କ ମା’ ତାଙ୍କ ୧୩ ବର୍ଷୀୟା ନାବାଳିକା ଝିଅକୁ ଗଣଦୁଷ୍କର୍ମ କରା ଯାଇଥିବା ନେଇ ଟେଲିଫୋନ ଯୋଗେ ଓଟିଭି ଏମ୍‌ଡିଙ୍କୁ ଜଣାଇଥିଲେ। ଓଟିଭିର କିଛି କର୍ମଚାରୀ ସମ୍ପୃକ୍ତ ଥିବା ସହ ସେମାନଙ୍କ ନାଁ ମଧ୍ୟ ନେଇଥିଲେ। ସବୁ ଶୁଣିବା ପରେ ମଧ୍ୟ ଏମ୍‌ଡି କୌଣସି ପଦକ୍ଷେପ ନେଇ ନ ଥିଲେ। ବରଂ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ସହ ମାମଲାକୁ ଚାପି ଦେଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏମ୍‌ଡି ଶ୍ରୀମତୀ ପଣ୍ଡା ନିଜର ପକ୍ଷ ରଖିବାକୁ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ କରା ଯାଇଥିବା ନେଇ ଗତ ଅଗଷ୍ଟ ୩୦ ତାରିଖରେ ପୀଡ଼ିତାଙ୍କ ମା’ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ଓଟିଭିର ଦୁଇ ଜଣ କର୍ମଚାରୀ, ଦୁଇ ଜଣ ସୁରକ୍ଷାକର୍ମୀ ଓ ୩ ଜଣ ପୁଲିସ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଓଟିଭିର ୪ ଜଣ କର୍ମଚାରୀଙ୍କୁ ଜେରା କରାଯାଇଛି।

ସମ୍ବନ୍ଧିତ ଖବର