କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପଣ୍ଡାପଡ଼ା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରୁ ଅଭିଯୁକ୍ତଙ୍କ ସାର୍ଟ, କାର୍ଟୁନ୍ ପେଟି, ପ୍ଲାଷ୍ଟିକ, ମୋବାଇଲ ଫୋନ୍, ଅନ୍ତଃବସ୍ତ୍ର ଜବତ କରାଯାଇଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ଚେତାବନୀ ଦେଇଛି। ସେହିପରି ବିଜେଡି ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।
କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ
ପୀଡ଼ିତାଙ୍କ ଘରେ ବିଜେଡି ପ୍ରତିନିଧି ଦଳ
ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଚୁପ୍ ବସିବ ନାହିଁ। ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲେଇବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅପରାହ୍ଣରେ କେନ୍ଦୁଝର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରୁଛି ବୋଲି ଜିଲ୍ଲା ସଭାପତି ମୋହନ ପରିଡ଼ା କହିଥିଲେ। ଏହି ଘଟଣାରେ ଏକାଧିକ ଲୋକ ସଂପୃକ୍ତ ଅଛନ୍ତି। ଯେଉଁମାନଙ୍କୁ ସନ୍ଦେହ କରାଯାଉଛି,ସେମାନେ ସରକାରୀ ଦଳର କର୍ମୀ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ତଦନ୍ତ ବାଟବଣା ହେବାର ଆଶଙ୍କା ରହିଛି। କ୍ରାଇମବ୍ରାଞ୍ଚ ଦ୍ବାରା ମାମଲାର ତଦନ୍ତ କରାଯାଉ। ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଯଶୋବନ୍ତ ନାରାୟଣ ସିଂ ଲାଗୁରୀ କହିଥିଲେ, ପୁଲିସ ଚାପମୁକ୍ତ ହୋଇ ମାମଲାର ତଦନ୍ତ କରୁ। ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଏହି ଘଟଣାକୁ ଗୁରୁତ୍ବର ସହ ନେଇ ମୁହଁ ଖୋଲନ୍ତୁ ବୋଲି ସେ ଦାବି କରିଛନ୍ତି। ସେହିପରି ପୀଡ଼ିତାଙ୍କ ପରିବାରକୁ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଭେଟିଛନ୍ତି। ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବ୍ରଦିନାରାୟଣ ପାତ୍ର, ବିଜୁ ଜନତା ଦଳ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସହ ଅନ୍ୟମାନେ ନାବାଳିକାଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ ଏପରି ଅମାନୁଷିକ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା, ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଆଦି ଚାରିଦଫା ଦାବିପତ୍ର ଏସ୍ପି ନୀତିନ କୁଶଲକରଙ୍କୁ ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/25/pxazD5HtuXjZlHFAZBhR.jpg)