ରାଜନଗର: ନାବାଳିକା ଝିଆରୀକୁ ପିଉସା ଦୁଷ୍କର୍ମ କରିଥିବା ବେଳେ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିବା ଆଉ ୪ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କଲେ। ଏହା ସହିତ ଦୁଷ୍କର୍ମ ସମୟର ଭିଡିଓ କରି ନାବାଳିକାର ଭାଇ ପାଖକୁ ପଠାଇଲେ। ରାଜନଗର ଥାନା ଅଞ୍ଚଳରେ ଗତ ଶନିବାର ଦିନ ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଥିବା ବେଳେ ‌ଏହାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ରାଜନଗର ଥାନା ପୁଲିସ ଗଣଦୁଷ୍କର୍ମ ଦଫା-୭୦(୨), ମାରପିଟ ଦଫା-୧୧୫ (୨), ଧମକଚମକ-୩୫୧ (୩ ), ପୋକ୍‌ସୋ ଆକ୍ଟ ୬(୧)ରେ କେସ୍‌ ନମ୍ବର-୨୬୬/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆଜି ମୁଖ୍ୟ ଅଭିଯୁକ୍ତ ପିଉସା ଚିତ୍ତରଞ୍ଜନ ମଲିକ ଓରଫ ହାପିକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ୪ ଅଭିଯୁକ୍ତଙ୍କୁ ପୁଲିସ ଜେରା କରୁଛି।
ଦଶମ ଶ୍ରେଣୀରେ ପଢୁଥିବା ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଶନିବାର ଅପରାହ୍ଣ ପ୍ରାୟ ୫ଟାରେ ସେ ଖୁଦୁରୁକୁଣୀ ମୂର୍ତ୍ତି ଆଣିବା ପାଇଁ ପିଉସା ହାପି ସହିତ ଓଉପଦାକୁ ଯାଉଥିଲେ। ହେଲେ, ହାପି ତାଙ୍କୁ ଓଉପଦା ନେବା ପରିବର୍ତ୍ତେ କୁନ୍ଦୁପୁର ମଶାଣି ଆଡ଼କୁ ନେଇ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ଚିତ୍କାର ଶୁଣି ୪ଜଣ ଅଜଣା ଲୋକ ସେଠାରେ ପହଞ୍ଚିଥିଲେ। ସେମାନେ ମଧ୍ୟ ଟଣାଓଟରା କରିବା ସହ ମାଡ଼ ମାରି ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୩ଘଣ୍ଟା ଧରି ଛାତ୍ରୀଜଣକ ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହୋଇଥିଲେ। ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମା‌ନେ ପୀଡ଼ିତାଙ୍କୁ ଆଣି ଗାଁ ମୁଣ୍ଡରେ ଛାଡ଼ି ଚାଲି ଯାଇଥିଲା। ଏ ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଏହି ଘଟଣା ପରେ ପୀଡ଼ିତା  ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ତାଙ୍କ ମାଇଁ ସାହସ ଦେବା ସହ ପୀଡ଼ିତାଙ୍କୁ ଆଣି ଥାନାରେ ପହଞ୍ଚାଇଥିଲେ। ଶନିବାର ୯ ତାରିଖ ଏହି ଘଟଣା ଘଟିଥିବା ବେଳେ ୧୧ ତାରିଖ ବିଳମ୍ବିତ ରାତିରେ ରାଜନଗର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ରାତାରାତି ଅଭିଯୁକ୍ତ ହାପି ମଳିକ ଓ ଘଟଣାରେ ସମ୍ପୃକ୍ତ କୁନ୍ଦୁପୁର ଗାଁର ଅନ୍ୟ ୪ଜଣ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ୪ ଯୁବକଙ୍କ ମୋବାଇଲ୍‌ ଜବତ କରି ଯାଞ୍ଚ କରାଯାଉଛି। ଦୁଷ୍କର୍ମକାରୀମାନେ ଘଟଣା ସମୟର ଫଟୋ ଓ ଭିଡିଓ ଉତ୍ତୋଳନ କରି ତାହାକୁ ଭାଇରାଲ୍‌ କରିବା ସହ ପୀଡ଼ିତାଙ୍କ ଭାଇଙ୍କ ପାଖକୁ ପଠାଇଥିଲେ। 
ପଟ୍ଟାମୁଣ୍ଡାଇ ମେଡିକାଲରେ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯାଇଛି। ସେହିପରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟ ଅଭିଯୁକ୍ତ ହାପିର ଡାକ୍ତରୀ ମାଇନା କରାଯାଇଛି ବୋଲି ରାଜନଗର ଥାନା ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ରାଜନଗରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।