ନବରଙ୍ଗପୁରରେ ଆଲୋଡ଼ନ : ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା!

କୋଟପାଡ଼ ଅଞ୍ଚଳର ୨ସନ୍ଦିଗ୍ଧ ଅଟକ, ଘଟଣାସ୍ଥଳରୁ ଜିନ୍ ପ୍ୟାଣ୍ଟ, ଚପଲ ଜବତ, ଶୁକ୍ରବାର ରାତିରୁ ନିଖୋଜ ଥିଲେ ନାବାଳିକା

ନବରଙ୍ଗପୁର : ଶୁକ୍ରବାର ରାତିରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ଘଟଣା। ଗତକାଲି ରାତିରୁ ନିଖୋଜ ଜଣେ ନାବାଳିକାଙ୍କ ଶବ ଘରଠାରୁ ପ୍ରାୟ ୩ଶହ ମିଟର ଦୂରରୁ ଆଜି ସକାଳେ ଉଦ୍ଧାର କରାଯାଇଛି। ଗଣଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଜବତ ସାମଗ୍ରୀରୁ ପୁଲିସକୁ ପ୍ରାଥମିକ ସୁରାକ ମିଳିଛି। ଏହାକୁ ନେଇ ସମଗ୍ର ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ‌ପୁଲିସ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି।

କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ବାମୁଣି ନିକଟସ୍ଥ ଗୋଟିଏ ଜମିରେ ଆଜି ସକାଳେ ଜଣେ ନାବାଳିକା ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ୮ଟାରେ ନିକଟସ୍ଥ ଗାଁର ଜଣେ ମହିଳା ଏହା ଦେଖିବା ପରେ ନାବାଳିକାଙ୍କ ପରିବାରକୁ ଖବର ଦେଇଥିଲେ। ଗତକାଲି ରାତିରେ ନାବାଳିକା ଜଣକ ପରିଶ୍ରା ପାଇଁ ଘର ବାହାରକୁ ଯାଇ ଆଉ ଫେରି ନ ଥିଲେ। ଏମିତି ଅବସ୍ଥାରେ ଝିଅକୁ ଦେଖି ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ। ଦାଦନ ଖଟିବାକୁ ଛତିଶଗଡ଼ ଯାଇଥିବା ନାବାଳିକାର ବାପାଙ୍କୁ ଏନେଇ ଖବର ଦିଆଯାଇଥିଲା। ସେ ପହଞ୍ଚିବା ପରେ କୋଷାଗୁମୁଡ଼ା ଥାନାରେ ଏତଲା ଦେଇଥିଲେ। ଏସ୍‌ଡିପିଓ ବିଜୟ କୁମାର ନାୟକ, କୋଷାଗୁମୁଡ଼ା ଥାନା ଆଇଆଇସି ନଟବର ନନ୍ଦ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ପାରିପାର୍ଶ୍ବିକ ସ୍ଥିତି ଏବଂ ଘଟଣା ସ୍ଥଳରେ ପଡ଼ିଥିବା ଦୁଇଟି ଜିନ୍ ପ୍ୟାଣ୍ଟ ଏବଂ ଗୋଟିଏ ନାଲି ରଙ୍ଗର ଚପଲକୁ ଦେଖି ଏକାଧିକ ପୁରୁଷ ଗତକାଲି ରାତିରେ ଏଠାରେ ଥିବା ଅନୁମାନ କରାଯାଉଛନ୍ତି। ନାବାଳିକା ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ନାକରୁ ରକ୍ତ ବାହାରି ଶୁଖି ଯାଇଛି। ତେଣୁ ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ତଣ୍ଟି ଚିପି ହତ୍ୟା କରି ଅଭିଯୁକ୍ତମାନେ ଚାଲି ଯାଇଥିବା ଅନୁମାନ କରାଯାଉଛି।

ଦୁଷ୍କର୍ମ ନେଇ ଖବର ପ୍ରଚାର ହେବାରୁ ଶହ ଶହ ସଂଖ୍ୟାରେ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ସହ ଲୋକଙ୍କ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଏସ୍‌ପି ଓ ଜିଲ୍ଲାପାଳ ଘଟଣ‌ାସ୍ଥଳରେ ନପହଞ୍ଚିବା ପର୍ଯ୍ୟନ୍ତ ଶବକୁ ଛୁଇଁବାକୁ ଦିଆଯିବ ନାହିଁ ବୋଲି ଶବ ନିକଟରେ ଧାରଣାରେ ବସି ରହିଥିଲେ। ଏସପି ନୀତିନ କୁଶଲକର ପହଞ୍ଚିବା ପରେ ଗ୍ରାମବାସୀ ଓ କଂଗ୍ରେସ ପକ୍ଷରୁ ନାବାଳିକାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ଦୋଷୀଙ୍କୁ ତୁରନ୍ତ ଗିରଫ ଓ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରିବାକୁ ଦାବି କରିଥିଲେ। ଏସ୍‌ପି ବୁଝାସୁଝା କରିବା ପରେ ‌ଲୋକେ ଶାନ୍ତ ପଡ଼ିବାରୁ ସଂଧ୍ୟାରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ।

ବିଭିନ୍ନ ଦିଗକୁ ନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି କୋରାପୁଟ ଜିଲ୍ଲା ପୁଲିସର ମଧ୍ୟ ସହଯୋଗ ନିଆଯାଇଛି। ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର