ଆହାର ଛଡ଼ାଇନେଲା ‘ଆଧାର’ ଘଟଣା : ମନ୍ତ୍ରୀଙ୍କ ଟୁଇଟ୍‌ ପରେ ପ୍ରଶାସନ ତତ୍ପର, ନାବାଳିକାଙ୍କୁ ମିଳିଲା ଚାଉଳ

କେନ୍ଦୁଝର : ଆହାର ଛଡ଼ାଇନେଲା ‘ଆଧାର’ ଶୀର୍ଷକ ରିପୋର୍ଟ ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏଥିରେ ହସ୍ତକ୍ଷେପ କରିଛନ୍ତି। ଏହାପରେ ପ୍ରଶାସନ ତତ୍ପର ହୋଇ ଉଠିବା ସହ ନାବାଳିକା ଘରେ ପହଞ୍ଚି ଚାଉଳ ଯୋଗାଇ ଦେଇଛନ୍ତି। କେନ୍ଦୁଝର ସଦର ବ୍ଲକ୍‌ ମହାଦେଇଯୋଡ଼ା ପଞ୍ଚାୟତ ସଲରାପେଣ୍ଠ ଗ୍ରାମର ଅନାଥ ନାବାଳିକା ସୀମା ମୁଣ୍ଡା (୧୧) କାଠ ବିକ୍ରି କରି ଚଳୁଥିବା ଖବର ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ମନ୍ତ୍ରୀ ଟୁକୁନି ସାହୁ ସଂପୃକ୍ତ ଝିଅର ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ଟୁଇଟ୍‌ କରି ଜଣାଇଥିଲେ। ଏହାପରେ ଆଜି ପଞ୍ଚାୟତ କର୍ମଚାରୀମାନେ ତାଙ୍କ ଘରକୁ ଯାଇ ୨ ମାସର ଚାଉଳ ଦେଇ ଆସିଛନ୍ତି। ଜିଲ୍ଲା ପ୍ରଶାସନ ରିଟୁଇଟ୍ କରି ମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ ସୀମାଙ୍କୁ ଚାଉଳ ପ୍ରଦାନ କରାଯାଇଛି।

ତାଙ୍କର ଆଧାର କାର୍ଡ କରିବା ସହିତ ରାସନ କାର୍ଡରେ ସଂଯୋଗ କରିବା ପ୍ରକ୍ରିୟା ଜିଲ୍ଲା ଯୋଗାଣ ବିଭାଗ ଆରମ୍ଭ କରିଛି। ତେବେ ତାଙ୍କର ପାଠପଢ଼ା ଓ ଭବିଷ୍ୟତ କଥା କିଏ ବୁଝିବ ବୋଲି ପ୍ରଶ୍ନ ଉଠିଛି।

ସୀମାର ବାପାମା’ ନାହାନ୍ତି। ଜେଜେବାପା ତାଙ୍କୁ ପାଳିପୋଷି ବଡ଼ କରିଥିଲେ। ଦୁଇବର୍ଷ ତଳେ ତାଙ୍କ ଜେଜେବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହାପରେ ସେ ସଂପୂର୍ଣ୍ଣ ଏକା ହୋଇଯାଇଥିଲେ। ରାସନ କାର୍ଡରେ ୫ କିଲୋ ଚାଉଳ ମିଳୁଥିଲା। ଆଧାର-ରାସନ କାର୍ଡ ସଂଯୋଗ ନ ହେବାରୁ ଏହି ଚାଉଳରୁ ମଧ୍ୟ ତାଙ୍କୁ ବଞ୍ଚିତ କରାଯାଇଥିଲା। ଫଳରେ ସେ ଜଂଗଲରୁ ଜାଳେଣି କାଠ ସଂଗ୍ରହ କରି ବିକ୍ରି କରୁଥିଲେ।

ସମ୍ବନ୍ଧିତ ଖବର