ହରିଚନ୍ଦନପୁର: କେନ୍ଦୁଝରଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ନାବାଳିକାଙ୍କୁ ହତ୍ୟା କରିବା ପରେ ବେକରେ ଦଉଡ଼ି ବାନ୍ଧି ସଜନାଗଛରେ ଟାଙ୍ଗି ଦେଇଛନ୍ତି। ଏହାକୁ କେନ୍ଦ୍ର କରି ମଙ୍ଗଳବାର ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ କାଠ, ପଥର ପକାଇ ନୁଦୁରାପଡ଼ା-କାଳିଆହତା ରାସ୍ତା ଅବରୋଧ କରିଛନ୍ତି।
ନାବାଳିକା ଜଣକ ଗତକାଲି ସନ୍ଧ୍ୟାରେ ଶୌଚ ହେବାପାଇଁ ଘର ପାଖ ପୋଖରୀକୁ ଯାଇଥିଲେ। ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ନଥିଲା। ଆଜି ସକାଳେ ନିଜ ଘର ପଛପଟ ସଜନାଗଛରେ ତାଙ୍କ ମୃତଦେହ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ। ନାବାଳିକାଙ୍କ ବାମଗୋଡ଼ରୁ ରକ୍ତ ଝରୁଥିଲା। ଘରଠାରୁ ତିନିଶହ ମିଟର ଦୂର ପୋଖରୀ ନିକଟରେ ଦୁର୍ବୃତ୍ତଙ୍କ ସାର୍ଟ, କାର୍ଟୁନ୍ ପେଟି, ପ୍ଲାଷ୍ଟିକ୍ ଜରି, ମୋବାଇଲ ଫୋନ୍, ନାବାଳିକାଙ୍କ ଅନ୍ତଃବସ୍ତ୍ର ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଜୋର ଜବରଦସ୍ତ ଟେକିନେଇ ପୋଖରୀ ନିକଟରେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଶବ ଆଣି ନାବାଳିକାଙ୍କ ବାଡ଼ିରେ ଥିବା ସଜନାଗଛରେ ଟାଙ୍ଗି ଦେଇଛନ୍ତି।
ଖବର ପାଇ ପଣ୍ଡାପଡ଼ା ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବି ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ହରିଚନ୍ଦନପୁର ତହସିଲଦାର ହିମାଂଶୁ ଶେଖର ପଣ୍ଡା, ଘଟଗାଁ ଏସ୍ଡିପିଓ ବିଜୟ କୁମାର ମହାପାତ୍ର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏ ନେଇ ପଣ୍ଡାପଡ଼ା ଥାନାରେ କେସ୍ ନମ୍ବର ୧୧୩/୨୫ରେ ଏକ ମାମଲା ରୁଜୁ ହୋଇଛି। ପଣ୍ଡାପଡା ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କୁ ପଚରାଯିବାରୁ ସେ କହିଛନ୍ତି, ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/HjFMxoh0L7zlgRKO9kcY.jpg)