ରାୟଗଡ଼ା: ରାୟଗଡ଼ା ବ୍ଲକ୍ ସିଙ୍ଗାପୁର ରୋଡ୍ ଗ୍ରାମର ୧୬ ବର୍ଷୀୟ ନାବାଳିକାକୁ ବଳପୂର୍ବକ ଘରୁ ଅପହରଣ କରି ନେଇଛନ୍ତି ଯୁବକ। ନିଜ ବଡ଼ ଭାଇ ସହଯୋଗରେ ଯୁବକ ଏପରି କାଣ୍ଡ ଘଟାଇଥିବା ବେଳେ ଉଦ୍ଧାର ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ନାବାଳିକାର ବାପା, ମାଆ। ଚାନ୍ଦିଲି ପୁଲିସ୍ ଅପହରଣକାରୀ ଯୁବକ ଅର୍ଜୁନ କୁମାର ଏବଂ ତାଙ୍କ ବଡ଼ ଭାଇଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗତ ୧୧ ତାରିଖରେ ୧୬ ବର୍ଷୀୟ ନାବାଳିକା ନିଜ ସାନ ଭଉଣୀ ସହ ଘରେ ଏକାକି ଥିଲେ। ବାପା ବୃତ୍ତିରେ ଡ୍ରାଇଭର ହୋଇଥିବାରୁ ଗାଡ଼ି ନେଇ ଗୁମୁଡ଼ା ଯାଇଥିଲେ। ମାଆ ଚକ୍ଷୁ ପରୀକ୍ଷା ପାଇଁ ପିତାମହଲ ମେଡ଼ିକାଲ୍ ଯାଇଥିଲେ। ଏହାର ସୁଯୋଗ ନେଇ ଅର୍ଜୁନ କୁମାର ଘରେ ପଶି ନାବାଳିକାକୁ ଅପହରଣ ଉଦ୍ୟମ କରିଥିଲେ। ଦୁଇ ଭଉଣୀ ପ୍ରତିରୋଧ କରିବା ପରେ ପାଟି କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ଅର୍ଜୁନ୍। ଏଥି ସହିତ ନାବାଳିକାର ସାନ ଭଉଣୀକୁ ଏକ ରୁମରେ କବାଟ ବନ୍ଦ କରି ରଖି ଦେଇଥିଲେ। ଏହା ପରେ ନାବାଳିକାଙ୍କ ମୁହଁରେ କପଡା ବାନ୍ଧି ଏକ ନୀଳ ରଙ୍ଗର କାରରେ ଅପହରଣ କରି ନେଇଥିଲେ। ଅପରାହଣରେ ବାପା, ମାଆ ଘରକୁ ଫେରିବା ପରେ ବନ୍ଦ କୋଠରିରୁ ସାନ ଝିଅକୁ ଉଦ୍ଧାର ପରେ ଘଟଣା ସଂପର୍କରେ ସମସ୍ତ କଥା ଜାଣିଥିଲେ। ତୁରନ୍ତ ଚାନ୍ଦିଲି ଥାନାରେ ପହଞ୍ଚି ଝିଅର ଅପହରଣ ସଂପକର୍ରେ ବାପା ଅଭିଯୋଗ କରିଥିଲେ। ଝିଅର ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ଉଦ୍ଧାର କରିବା ପାଇଁ ବାପା ପୁଲିସକୁ ନିବେଦନ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଅର୍ଜୁନ୍ ଏବଂ ତାଙ୍କ ବଡ଼ ଭାଇଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏସଆଇ ଅନିରୁଦ୍ଧ ଜାଲି ମାମଲାର ତଦନ୍ତ କରୁଛନ୍ତି।