ବାପାମା’ କୋଳରୁ ଟେକି ଆଣିଲା ହାତୀ, ନାବାଳିକାକୁ କଚାଡ଼ି ମାରିଲା

ଯୋଡା : କବାଟ ନଥିବା ଏକ ଚାଳ ଛପର ଘରେ ବାପାମା’ଙ୍କ କୋଳରେ ଶୋଇଥିଲେ ତିନି ଭାଇଭଉଣୀ। ବିଳମ୍ବିତ ରାତିରେ ଦନ୍ତା ଆସି ନାବାଳିକାଙ୍କୁ ଟାଣିନେଲା। ଶୁଣ୍ଢରେ ଟେକି କଚାଡ଼ି ଦେଲା। ଘଟଣାସ୍ଥଳରେ ନାବାଳିକାଙ୍କ ପ୍ରାଣବାୟୁ ଉଡ଼ିଗଲା। ଏଭଳି ଅଭାବନୀୟ ଘଟଣା ଘଟିଛ ବାମେବାରୀ ଥାନା ମଲଦା ଗ୍ରାମର ମୁଣ୍ଡାସାହିରେ। ହାତୀଟି ଘର ଭାଙ୍ଗି ଦେବାରୁ କାନ୍ଥପଡ଼ି ମୃତ ନାବାଳିକାଙ୍କ ଦୁଇ ଭାଇଭଉଣୀ ଗୁରୁତର ଆହତ ହେଇଛନ୍ତି। ସେମାନଙ୍କୁ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ବିଜୟ ମୁଣ୍ଡାଙ୍କ ପରିବାର ଖାଇପିଇ ‌ଶୋଇଥିଲେ। ସେମାନେ ଶୋଇଥିବା ଚାଳ ଛପର ଘରେ କବାଟ ନଥିଲା। ରାତି ପ୍ରାୟ ୨ଟା ବେଳେ ଏକ ଦନ୍ତାହାତୀ ସାହି ଭିତରକୁ ପଶି ଆସିଥିଲା। ବିଜୟଙ୍କ ପରିବାର ଲୋକେ ଶୋଇଥିବାବେଳେ ଘରର କବାଟ ନଥିବାରୁ ହାତୀଟି ଶୁଣ୍ଢ ଗଳାଇ ଝିଅ ସିନି (୧୦)ଙ୍କୁ ଟାଣି ନେଇଥିଲା। ତଳେ କଚାଡ଼ି ଦେବାରୁ ସିନିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହାତୀ ଘର ଭାଙ୍ଗି ଦେବାରୁ କାନ୍ଥ ପଡ଼ି ବିଜୟଙ୍କ ପୁଅ ଗଣେଶ ଓ ଅନ୍ୟ ଏକ ଝିଅ ରାନୀ ଗୁରୁତର ହୋଇଛନ୍ତି। ଖବର ପାଇ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର ପହଞ୍ଚି ମୃତ ନାବାଳିକାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ‌ଏଭଳି ଅଭାବନୀୟ ଘଟଣା ପରେ ଡିଏଫ୍‌ଓ ଘଟଣାସ୍ଥଳକୁ ନଆସିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ନିଦ ହଜିଯାଇଛି। କିଛିଦିନ ଧରି ଏକ ଦନ୍ତାହାତୀ ଗାଁଗଣ୍ତାରେ ପଶି ଆତଙ୍କ ସୃଷ୍ଟି କରୁଛି। ଘର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରୁଛି। ବିଲରେ ଫସଲ ନଥିବାରୁ ହାତୀ ଜନବସତି ମୁହାଁ ହେଉଥିବା ଗ୍ରାମବାସୀ କହଛନ୍ତି। ହାତୀ ପାଇଁ ଗାଁ ଗୁଡ଼ିକରେ ଭୟର ବାତାବରଣ ଖେଳିଯାଇଛି। ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହୋଇଛି। ହାତୀ ଉପଦ୍ରବ ନିୟନ୍ତ୍ରଣ ପାଇଁ ବନ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ନେବା ସହ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର