ପୁଲିସ ସୂଚନାଦାତା କହି ଜଣକୁ ହତ୍ୟା କଲେ ନକ୍ସଲ, ନାବାଳିକା ନକ୍ସଲର ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର ମେନପୁର ଥାନା ଅଂଚଳରେ ଜଣେ ବ୍ୟକ୍ତିକୁ ପୁଲିସ ସୂଚନାଦାତା କହି ନିର୍ମମ ହତ୍ୟା କରିଛନ୍ତି ନକ୍ସଲ। ଓଡିଶାର ନକ୍ସଲମାନେ ଆମାପାରା ପାହାଡରେ ପର୍ଶୁରାମ ଭୁଜିଆ(୩୫) ନାମକ ବ୍ୟକ୍ତିକୁ ଜଂଗଲରେ ପୁଲିସର ସୂଚନାଦାତା କହି ପ୍ରଥମେ ପ୍ରଜାକୋର୍ଟରେ ଦଣ୍ଡ ଦେଇଥିଲେ। ପରେ ଧାରୁଆ ଅସ୍ତ୍ରରେ ପର୍ଶୁରାମକୁ ହତ୍ୟା କରିଥିଲେ। ଘଟଣାସ୍ଥଳରେ ଓଡିଆରେ ଏକ ପୋଷ୍ଟର ଛଡାଯାଇଛି। ପୋଷ୍ଟରରେ ଓଡିଶାରୁ ପର୍ଶୁରାମ ପୁଲିସର ସୂଚନାଦାତା ଥିଲା। ତେଣୁ ସେ ଦଣ୍ଡ ପାଇଲା। ଆଗକୁ ଯିଏ ବି ପୁଲିସର ସୂଚନାଦାତା ପାଲଟିବ ତାକୁ ମୃତ୍ୟୁଦଣ୍ଡ ମିଳିବ ବୋଲି ଧମକ ଦିଆଯାଇଛି। ଜଂଗଲରେ ହିଁ ଶବକୁ ଫିଙ୍ଗି ନକ୍ସଲ ଚାଲିଯାଇଥିଲେ। ତେବେ ସେହି ଅଂଚଳ ବିପଦପୂର୍ଣ୍ଣ ଥିବାରୁ ପୁଲିସ ସେଠାରେ ପହଞ୍ଚି ପାରି ନାହିଁ। ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଜଂଗଲରୁ ଶବକୁ ଆଣି ବ୍ୟବଛେଦ କରାଯିବ ବୋଲି ପୁଲିସ କହିଛି।

ସେହିପରି ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆଜି ଜଣେ ନାବାଳିକା ନକ୍ସଲ ଆତ୍ମସମର୍ପଣ କରିଛି। ନାବାଳିକା ନକ୍ସଲର ବୟସ ମାତ୍ର ୧୩ ବର୍ଷ ବୋଲି ପୁଲିସ କହିଛି। ଆବୁଝମାଡା ଡିଭିଜନର ନକ୍ସଲମାନେ ଏହି ନାବାଳିକାର ପରିବାରକୁ ଡରାଇ ଧମକାଇ ସଂଗଠନରେ ସାମିଲ କରିଥିଲେ। ସଂଗଠନରେ ଯଦି ଝିଅ ସାମିଲ ନହୁଏ ତେବେ ବାପାକୁ ହତ୍ୟା କରିବୁ ବୋଲି ଧମକ ଦିଆଯାଇଥିବା ନାବାଳିକା ଜଣକ କହିଛି। ପୁଲିସ ଏହି ନାବାଳିକାକୁ ପାଠ ପଢାଇବା ସହ ସମସ୍ତ ପ୍ରକାର ତାଲିମ ପ୍ରଦାନ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର