ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ୨୪ ଘଣ୍ଟା ପରେ ବି ହଟୁନି ରାସ୍ତାରୋକ

ଗ୍ରାମବାସୀ ଜିଦ୍‌ରେ ଅଟଳ, ପ୍ରଶାସନ ନାକେଦମ୍‌, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

କୋଟଗଡ : କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଇଲାକାରେ ଗତକାଲି ଜରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନାହିଁ। ଘଟଣାକୁ ୨୪ ଘଣ୍ଟା ବିତିସାରିଥିଲେ ବି, ଉତ୍ତ୍ୟକ୍ତ ଗ୍ରାମବାସୀ କୋଟଗଡ଼-ରାୟଗଡ଼ା ମୁଖ୍ୟରାସ୍ତା ଉପରେ ଟାୟାର୍‌ ଜାଳି ଅବରୋଧ ଜାରି ରଖିଛନ୍ତି। ସ୍ୱତନ୍ତ୍ର କୋର୍ଟରେ ମାମଲାର ବିଚାର କରି ଦୋଷୀକୁ ୨୦ ଦିନ ମଧ୍ୟରେ ଫାଶୀଦଣ୍ଡାଦେଶ ଶୁଣାଇବା, ପୀଡିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ଏବଂ ସ୍ଥାନୀୟ ଅଂଚଳକୁ ସଂପୂର୍ଣ୍ଣ ମଦମୁକ୍ତ ଅଂଚଳ କରାଯିବା ଦାବିରେ ଗ୍ରାମବାସୀ ଜିଦ୍‌ରେ ଅଟଳ ରହିଛନ୍ତି। ପ୍ରଶାସନ ବୁଝାସୁଝା କରିଥିଲେ ବି ରାସ୍ତାରୋକ ହଟିପାରିନି। ଫଳରେ ଅଚଳାବସ୍ଥା ଜାରି ରହିଛି।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ପାଇଁ ବାଲିଗୁଡ଼ା ଏସ୍‌ଡିପିଓ ନିତିନ କୁଶଲକର ଦାଗୁଡୁଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ଵାଡ୍‌ ପହଞ୍ଚିଥିଲେ। ଘଟଣାସ୍ଥଳରେ ଟିକିନିଖି ଅନୁଧ୍ୟାନ କରିଥିଲେ। ଖୁବ୍‌ ଶୀଘ୍ର ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସେହିପରି ନାବାଳିକାଙ୍କ ଶବକୁ ବ୍ରହ୍ମପୁର ବଡ଼ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଅଭିଯୁକ୍ତ ଗଗନ ପ୍ରଧାନର ବି ସେଠାରେ ଡାକ୍ତରୀ ମାଇନା ହୋଇଥିବା ଜଣାପଡ଼ିଛି।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ହତ୍ୟା ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୃତ ପୀଡ଼ିତାଙ୍କ ପରିବାର ଲାଗି ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର