ମଶାଣିରେ ନାବାଳିକାକୁ ଦୁଷ୍କର୍ମ, ହତ୍ୟା

ପଥରରେ ଛେଚି ହତ୍ୟା ନେଇ ସନ୍ଦେହ, ସାଇଣ୍ଟିଫିକ୍ ଟିମ୍‌କୁ ରାତି ଅଧିଆ ଡକରା, ଘଟଣାସ୍ଥଳରେ ଏସ୍‌ପି ଓ ଡିଆଇଜିଙ୍କ ତଦନ୍ତ

ଅନୁଗୁଳ : ଦାରିଙ୍ଗବାଡ଼ି, ନର୍ଲା ଓ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟାଠୁ ଲଜ୍ଜାରେ ଆଜି ସୀମା ଟପି ଯାଇଛି ଅନୁଗୁଳ। ଏଠି ଜଣେ ସପ୍ତମ ଶ୍ରେଣୀ ନିଷ୍ପାପ ଛାତ୍ରୀଙ୍କ ସହ କେବଳ କୁ-କର୍ମ କରାଯାଇ ନାହିଁ, ବରଂ ଦୁଷ୍କର୍ମ ପରେ ଦିନ ଦ୍ବିପ୍ରହରେ ହତ୍ୟା କରି ମଶାଣି ଭୂଇଁରେ ଫିଙ୍ଗି ଦିଆଯାଇଛି।

ଅନୁଗୁଳ ଥାନା କାଙ୍ଗୁଲା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ଅଭିଯୋଗ ଅନୁସାରେ, ଆଜି ଦିନ ପ୍ରାୟ ୨ଟା ସମୟରେ, ବାପାମା’ଙ୍କ ପାଇଁ ଖାଇବାକୁ ନେଇ ଏକଟୁଆ ଚାଲିଚାଲି ଯାଉଥିଲେ। ବାପାମା’ ଘରଠାରୁ ଏକ କିଲୋମିଟର ଦୂରରେ ଥିଲେ। ବାଟଟା ଥିଲା ପୂରା ନିଛାଟିଆ। ଛୋଟ ଝିଅଟି ନ ପହଞ୍ଚିବାରୁ ବାପାମା’ ବ୍ୟସ୍ତ ହୋଇ ଉଠିଲେ। ଏହି ସମୟରେ ଜଣେ ସମ୍ପର୍କୀୟ ଖବର ଦେଲେ ଯେ, ବାଟରେ ଝିଅର ଚପଲ ସହିତ ଆଉ ଏକ ବଡ଼ ଚପଲ ପଡ଼ିଛି। ସେମାନଙ୍କ ମନରେ ସନ୍ଦେହ ହେବାରୁ ସେମାନେ ମଶାଣି ଆଡ଼କୁ ଦୌଡ଼ିଥିଲେ। କିଛି ଘଣ୍ଟା ଖୋଜାଖୋଜି ପରେ ରାସ୍ତାଠାରୁ ପ୍ରାୟ ଦୁଇ ଶହ ମିଟର ଦୂର ଏକ କଣ୍ଟା ଗଛ ମୂଳେ ଝିଅଟିର ଉଲଗ୍ନ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଘଟଣାରେ ଜଣେ ପାଇପ୍‌ ମିସ୍ତ୍ରି ସନ୍ଦେହଘେରକୁ ଆସିଛି। ଗାଁର ପ୍ରତ୍ୟକ୍ଷଦର୍ଶୀ ମହିଳାଙ୍କ କହିବା ମୁତାବକ, ଏହି ସମୟରେ କାଙ୍ଗୁଲା ଗୁଡ଼ିସାହିର ଜଣେ ପାଇପ୍ ମିସ୍ତ୍ରି ନିଜ ମଟର ସାଇକଲ ରଖି ମଶାଣି ନିକଟସ୍ଥ ଲିଙ୍ଗରା ନାଳରେ ଚପଲ, ପୋଷାକପତ୍ର ସବୁ ଭସାଉଥିଲା। ଅବେଳାରେ ଯୁବକ ଜଣକ ନିଜ ପୋଷାକ ଭସାଇବା ଘଟଣା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଏପରିକି, ଘଟଣା ସମ୍ପର୍କରେ ଖବର ପାଇ ଲୋକଙ୍କ ଭିଡ଼ ଲାଗିଥିବାବେଳେ ଅଭିଯୁକ୍ତ କୁହାଯାଉଥିବା ପାଇପ୍ ମିସ୍ତ୍ରି ବି ଶବ ଦେଖିବାକୁ ଆସିଥିଲା। ଲୋକେ ସନ୍ଦେହ କରି ତା’ ପିଛା କରିଥିଲେ। କିନ୍ତୁ ସେ ଘଟଣାସ୍ଥଳରୁ ଫେରାର୍‌ ହୋଇଗଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଝିଅ ସହ ଅପକର୍ମ କରିବା ପରେ ପଥରରେ ଛେଚି ତାକୁ ହତ୍ୟା କରାଯାଇଛି ବୋଲି ମୃତକର ବାପା ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର, ଏସଡିପିଓ ହରିହର ପାଣି, ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର