ନାବାଳିକା ଦୁଷ୍କର୍ମ ଅଡ଼ୁଆ ବଢ଼ୁଛି

କଣ୍ଟାବାଞ୍ଝି ନାବାଳିକା ଘଟଣା ଉଠିଲା, ଜୁଲାଇ ୨୪ ଯାଏ ତଥ୍ୟ ମାଗିଲେ ସାଲୁଜା

ଭୁବନେଶ୍ୱର : ରାଜ୍ୟ ସରକାର ବିଧାନସଭାକୁ ଭୁଲ ତଥ୍ୟ ଦେଉଛନ୍ତି। ବାଚସ୍ପତି ସରକାରଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ବାଚସ୍ପତି ନିରପେକ୍ଷ ରହୁନାହାନ୍ତି। ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ଏଭଳି ଗର୍ଜନ ତର୍ଜନ କରିଥିଲେ କଂଗ୍ରେସ ବିଧାୟକ ଦଳ ଉପନେତା ସନ୍ତୋଷ ସିଂହ ସାଲୁଜା। ଦାବି କରିଥିଲେ, ଜୁଲାଇ ୨୪ ତାରିଖ ସୁଦ୍ଧା ରାଜ୍ୟରେ କେତେ ଦୁଷ୍କର୍ମ ହୋଇଛି, ସେ ନେଇ ମନ୍ତ୍ରୀ ଗୃହରେ ଆଉ ଥରେ ତଥ୍ୟ ରଖନ୍ତୁ।

ଏକ ବୈଧାନିକ ପ୍ରଶ୍ନ ଉତଥାପନ ଛଳରେ ଶ୍ରୀ ସାଲୁଜା କହିଥିଲେ, କଣ୍ଟାବାଞ୍ଜିରେ ଗୋଟିଏ ୭ ବର୍ଷର ଝିଅକୁ ପୁଣି ଦୁଷ୍କର୍ମ ହୋଇଛି। ଏ ନେଇ ପୁଲିସ ଯେଉଁ ମକଦ୍ଦମା ରୁୁଜୁ କରିଛି, ତାହା ଆଶ୍ଚର୍ଯ୍ୟଜନକ। ଦୁଷ୍କର୍ମ ହୋଇଥିଲେ ହେଁ, ଏହାକୁ ଦୁଷ୍କର୍ମ ଉଦ୍ୟମ ବୋଲି ଦର୍ଶାଯାଇଛି। ଘଟଣା ଦିନ ଜୟକୃଷ୍ଣ ବେହେରା ନାମକ ଜଣେ ଯୁବକ ଏହି କାଣ୍ଡ ଭିଆଇଥିଲା। କୁନିଝିଅଟି ପାଟି କରିବାରୁ ତା ମାଆ ସହ ପଡୋଶୀମାନେ ଚାଲିଆସିଥିଲେ। ଅତି ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କ ସାମ୍ନାରେ ଘଟଣା ଘଟିଛି, ତା ପରେ ବି କଣ୍ଟାବାଞ୍ଜି ଆଇଆଇସି ଏମିତି କେମିତି କରିବେ?

ଶ୍ରୀ ସାଲୁଜା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁଲତବୀ ଆେଲାଚନା ସମୟରେ ଯେଉଁ ଉତ୍ତର ରଖିଥିଲେ, ସେଥିରେ ଦୁ୍‍ଷ୍କର୍ମ ୫.୯ ପ୍ରତିଶତ କମିଥିବା କୁହାଗଲା। ଯେତେବେଳେ ହାଇକୋର୍ଟ ରେଜିଷ୍ଟାର ସୁପ୍ରିମକୋର୍ଟଙ୍କୁ ଜୁନ ପର୍ଯ୍ୟନ୍ତ ପରିସଂଖ୍ୟାନ ଦେଲେ ଓ ଏହା ୧୦୦୫ ବୋଲି କୁହାଯାଇଛି, ସେତେବେଳେ ଜୁଲାଇ ୨୪ ତାରିଖରେ ହୋଇଥିବା ଏହି ଆଲୋଚନା ପାଇଁ ମେ’ ମାସର ତଥ୍ୟ କାହିଁକି ଦିଆଯିବ? ମାର୍ଚ୍ଚ ମାସର ତଥ୍ୟ ଦେଇଥିଲେ ୨୦ ପ୍ରତିଶତ କମିଯାଇଥାନ୍ତା ବୋଲି ଶ୍ରୀ ସାଲୁଜା କଟାକ୍ଷ କରିଥିଲେ। ସେ ଆହୁରି କହିଥିଲେ ଯେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସୁପ୍ରିମକୋର୍ଟ ଏହି ଘଟଣାରେ ସ୍ୱତନ୍ତ୍ର କୋର୍ଟ ଖୋଲିବା ପାଇଁ ନିର୍ଦେଶ ଦେଲେଣି। ହେଲେ ରାଜ୍ୟ ସରକାର ଚେତୁନାହାନ୍ତି। ବର୍ଷକୁ ଦେଶରେ ୨୪ ହଜାର ନାବାଳିକା ଦୁଷ୍କର୍ମ ଶିକାର ହେଉଛନ୍ତି। ନାଗାଲାଣ୍ଡରେ ସବୁଠାରୁ କମ୍‍, ୯ଜଣ। ସେମାନଙ୍କଠାରୁ ଓଡ଼ିଶା ଶିଖିବା କଥା।

ସମ୍ବନ୍ଧିତ ଖବର