ନାବାଳିକା ଦୁଷ୍କର୍ମ ମାମଲାରେ ଏସ୍‌ପିଙ୍କୁ ବିବାଦକୁ ଟାଣିଲା ବିଜେପି

ସରଜମିନ୍ ତଦନ୍ତ ଅନୁଧ୍ୟାନରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କଲେ
ତୁରନ୍ତ ଚାର୍ଜସିଟ୍ ସହିତ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଆଦିବାସୀ ମହିଳା, ନାବାଳିକା ଏଠି ଅତ୍ୟାଚାରିତ। ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ ଅପରାଧର ସେମାନେ ଶିକାର ହେଉଛନ୍ତି। ମାଲକାଲଗିରି ପୋଲିସ କ୍ୟାଣ୍ଟିନ୍ ଓ ବୀରମିତ୍ରପୁର ଥାନା ଘଟଣା ପ୍ରମାଣିତ କରୁଛି ଯେ, ଏବେ ଅପରାଧୀମାନଙ୍କର ତାଲିକାରେ ପୋଲିସ ମଧ୍ୟ ସାମିଲ ହୋଇଛି।

ଉଭୟ ମାଲକାନଗିରି ଓ ବୀରମିତ୍ରପୁରରେ ସରଜମିନ ତଦନ୍ତ କରି ଫେରିବା ପରେ ଆଜି ବିଜେପି ଦଳ ତାଙ୍କ ରିପୋର୍ଟ ଦାଖଲ କରିବା ସହିତ ଗଣମାଧ୍ୟମ ସାମ୍ନାରେ ଅସନ୍ତୋଷ ଝାଡ଼ିଛନ୍ତି।

ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଆଜି ଗଣମାଧ୍ୟମକୁ କହିଛନ୍ତି, ବୀରମିତ୍ରପୁର ଘଟଣା କେବଳ ଗୋଟିଏ ଅଘଟଣ ବୋଲି କୁହାଯାଇପାରିବ ନାହିଁ। କାରଣ ଦୀର୍ଘ ୩ ମାସ କାଳ ଝିଅଟିକୁ ଥାନାର ଉପର ମହଲାରେ ଆଣି ବଡ଼ବାବୁ ଆନନ୍ଦ ଚନ୍ଦ୍ର ମାଝି, ସେହି ଥାନାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କର ୪ ବନ୍ଧୁ ଦୁଷ୍କର୍ମ କରୁଥିବାବେଳେ କେମିତି ଏସ୍‌ଡିପିଓ ଏବଂ ଏସପିଙ୍କ ନଜରରେ ପଡ଼ିଲା ନାହିଁ ତାହା ଆଶ୍ଚର୍ଯ୍ୟଜନକ। ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୀରମିତ୍ରପୁର ଥାନା ରହିଛି ଓ ସେଠାରେ ସିସିଟିଭି କ୍ୟାମେରା ଲାଗିଛି। ଏଭଳି ଆପରାଧିକ କାର୍ଯ୍ୟ କଳାପ ଉପରେ ଏସ୍‌ପି କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିବା ସହିତ ଏସ୍‌ପିଙ୍କୁ ବିବାଦକୁ ଟାଣି ତାଙ୍କ ଭୂମିକା ସନ୍ଦେହଜନକ ବୋଲି କହିଛି।

ଏହି ଘଟଣା ପଛରେ ଏକ ବଡ଼ ଷଡ଼୍‌ଯନ୍ତ୍ର ରହିଛି ବୋଲି ବିଜେପି ଦାବି କରି ଘଟଣା ସହ ସମସ୍ତ ସଂପୃକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି। କେବଳ ସେତିକି ନୁହେଁ, ଅପରାଧୀ ଆନନ୍ଦ ମାଝୀ ଏବଂ ଅନ୍ୟ ଦୁଷ୍କର୍ମକାରୀମାନଙ୍କୁ ପୋକସୋ, ଏସ୍‌ସି/ଏସ୍‌ଟି ଏଟ୍ରୋସିଟି ଆକ୍ଟ ଏବଂ ବେଆଇନ ଗର୍ଭପାତ କରାଇବା ନେଇ ଏମ୍‌ଟିପି ଆକ୍ଟରେ ୩୦ ଦିନ ଭିତରେ ଚାର୍ଜସିଟି ଦାଖଲ କରି କଠୋରୁ କଠୋର ଦଣ୍ଡ ପାଇଁ ଆବେଦନ କରାଯାଉ ଏବଂ ପୀଡିତାକୁ ଏସ୍‌ସି/ଏସ୍‌ଟି ଏଟ୍ରୋସିଟି ଆକ୍ଟ ଆଇନ ଅନୁଯାୟୀ ୮.୨୫ ଲକ୍ଷ ଅନୁକଂପା ରାଶି ପ୍ରଦାନ କରିବା ଲାଗି ବିଜେପି କହିଛି। ଏହାସହିତ ନାବାଳିକା ପୀଡିତାର ସ୍ୱାଭାବିକ, ସୁରକ୍ଷିତ ଓ ସମ୍ମାନଜନକ ଜୀବନ ଯାପନ ପାଇଁ ରାଜ୍ୟ ସରକାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ଡ. ସାମନ୍ତସିଂହାର ପ୍ରସ୍ତାବ ରଖିଛନ୍ତି।

ବିଜେପି ଆହୁରି କହିଛି, ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଡିଜିଙ୍କୁ ଭେଟିବା ପରେ କ୍ରାଇମବ୍ରାଞ୍ଚ ଆଦେଶ ଦିଆଗଲା। ମୁଖ୍ୟ ଅଭିଯୁକ୍ତ ଆନନ୍ଦ ମାଝୀ ଗିରଫ ହେଲେ। ଡିଜି ପୀଡ଼ିତାଠୁ କ୍ଷମା ପ୍ରାର୍ଥନା କଲେ। ଡିଜିଙ୍କର କ୍ଷମା ପ୍ରାର୍ଥନା ମାନବିକତା ଦୃଷ୍ଟିରୁ ସ୍ୱାଗତଯୋଗ୍ୟ, ହେଲେ ଏହା ଡିଜିଙ୍କର ମୂଳ କାମ ନୁହେଁ। ତାଙ୍କର ମୂଳ ଦାୟିତ୍ୱ ହେଉଛି ଅପରାଧକୁ ରୋକିବା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ଏବଂ ମହିଳାମାନଙ୍କୁ ସୁରକ୍ଷା ଯୋଗାଇବା। ଏଥିରେ ବିଫଳ ହୋଇ କ୍ଷମା ପ୍ରାର୍ଥନା କରିବା ଡିଜିଙ୍କର ଅସହାୟତାକୁ ଦର୍ଶାଉଛି। ଦୀର୍ଘ ୨୦ ବର୍ଷର ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି, କ୍ଷମତାର ଅହଂକାରରେ ପୋଲିସ ବିଭାଗରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି ଏବଂ ଅପରାଧୀଙ୍କ ମନରୁ ଦଣ୍ଡିତ ହେବାର ଭୟ ନାହିଁ ବୋଲି ଡ.ସାମନ୍ତସିଂହାର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏବଂ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ବିଜେପି ପ୍ରତିନିଧି ଦଳରେ ଲେଖାଶ୍ରୀଙ୍କ ବ୍ୟତୀତ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର