ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ : ‌‌ମୋତେ ୭ଜଣ ଦୁଷ୍କର୍ମ କରିଥିଲେ

ଟିଭି ଚ୍ୟାନେଲ ଏମ୍‌ଡିଙ୍କ ସହ ବାର୍ତାଳାପ ଅଡିଓକୁ ନେଇ ଚର୍ଚା

ଭୁବନେଶ୍ୱର : ‘ମୋ ମା’ ଅଫିସ୍‌ ଯିବା ବେଳେ ମୋତେ ବାହାରପଟୁ ତାଲା ବନ୍ଦ କରି ଘର ପାଖରେ ଥିବା ନଣ୍ଡା ମାମା ଘରେ ଚାବି ଦେଇ ଯାଆନ୍ତି। ଦିନେ ନଣ୍ଡା ମାମା ଆସି ଚାବି ଖୋଲି ଡାକିଲେ। ନ ଯିବାରୁ, ମୋତେ ଜବରଦସ୍ତ ନେଇ ବୁଢ଼ୀ ଘରେ ଛାଡ଼ି ଦେଲେ। ବୁଢ଼ୀ ଭିତରପଟୁ କବାଟ ବନ୍ଦ କରିଦେଲା। ସେ ଘରେ ୪ଜଣ ଲୋକ ଥିଲେ। ସେମାନେ ମୋତେ ଘେରିଗଲେ। ତା’ ପରେ ଜଣଜଣ କରି ୪ଜଣ ଯାକ ମୋତେ ଦୁଷ୍କର୍ମ କରିଥିଲେ। ବୁଢ଼ୀ ଦୁଷ୍କର୍ମର ଭିଡିଓ ରେକର୍ଡିଂ କରିଛି। ତା’ ପରଦିନ ରାଉରକେଲାରୁ ତିନି ଜଣ ପୁଲିସ ଷ୍ଟାଫ୍ ଆସିଥିଲେ। ସେମାନେ ବି ମୋ ସହ ଖରାପ କାମ କଲେ। ବୁଢ଼ୀ ମୋତେ ଧମକାଇଲା, ମାମାଙ୍କୁ ନ କହିବା ପାଇଁ। ଏମିତି ୧୫ ଦିନ ମୋ ସହ ଅତ୍ୟାଚାର ଚାଲିଲା।’ ପୁଲିସ୍‌ ନିକଟ‌ରେ ଏଭଳି ଲୋକଟାଙ୍କୁରା ବୟାନ ଦେଇଛି ଲକ୍‌ଡାଉନ୍‌ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ରାଜଧାନୀର ନାବାଳିକା। ଗତ ଅଗଷ୍ଟ ୩୧ ତାରିଖରେ ନାବାଳିକାର ବୟାନ ରେକର୍ଡ ହୋଇଥି‌ଲେ ହେଁ ଆଜି ଏହା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବୟାନ ରେକର୍ଡ ପରେ ପୁଲିସ ନାବାଳିକାଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲା। ତୁମେ ଯୋଉ ବୁଢ଼ୀ କଥା କହୁଛ, ସେ ବୁଢ଼ୀ କିଏ? ନାବାଳିକା କହିଥି‌ଲେ, ପ୍ରଫୁଲା ପାତ୍ର। ରାଉରକେଲାରୁ ପୁଲିସ ଆସିଥି‌ଲେ ବୋଲି ତୁମେ କେମିତି ଜାଣିଲ? ସେମାନେ ପୁଲିସ ପୋଷାକରେ ଆସିଥିଲେ, ବୁଢ଼ୀ ଆଗରୁ କହିଥିଲା, ରାଉରକେଲାରୁ ଆସିଛନ୍ତି ବୋଲି। ସେମାନଙ୍କ ନେମ୍‌ପ୍ଲେଟ୍‌ରେ ଲେଖା ହୋଇଥିଲା ବୋଲି ପୀଡ଼ିତା ଉତ୍ତର ଦେଇଥିଲେ।

ଅନ୍ୟପକ୍ଷରେ ଏହି ମାମଲାରେ ସମ୍ପୃକ୍ତ ଟିଭି ଚ୍ୟାନେଲ ଏମ୍‌ଡିଙ୍କ ସହ ପୀଡ଼ିତାଙ୍କ ମା’ଙ୍କ ଟେଲିଫୋନ୍ ବାର୍ତାଳାପକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ପୀଡ଼ିତାଙ୍କ ମା’ ମହିଳା କମିସନ୍‌ଙ୍କ ନିକଟରେ ଏହି ଅଡିଓ ଦାଖଲ କରିଛନ୍ତି। ଅଡିଓ ବାର୍ତାଳା‌ପରେ ଝିଅକୁ ସଂସ୍ଥାର କେତେକ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ମା’ କାନ୍ଦିକାନ୍ଦି କହୁଛନ୍ତି। ପୂରା କାହାଣୀ ବର୍ଣ୍ଣନା କରିବା ସହ କିଛି ଦୁର୍ବୃତ୍ତ ଧମକଚମକ ଦେବା ପରେ ସେମାନେ ଗାଁକୁ ପଳାଇଥିଲେ ବୋଲି ସେ କହୁଛନ୍ତି। ତେବେ ଘଟଣା ସମ୍ପର୍କରେ ଅଫିସ୍‌କୁ ଆସି ଆଲୋଚନା କରିବା ଲାଗି ଏମ୍‌ଡି ପରାମର୍ଶ ଦେଇଥିଲେ। ଏହି ଆଳରେ ସେ ଘଟଣାକୁ ଚପାଇ ଦେଇଥିଲେ ବୋଲି ପୀଡ଼ିତାଙ୍କ ମା’ ଗତକାଲି ମହିଳା କମିସନ୍‌ ଅଧ୍ୟକ୍ଷାଙ୍କୁ ତାଙ୍କ ବାସଭବନେରେ ଭେଟି ଅଭିଯୋଗ କରିଛନ୍ତି। ଏହାସହ ଉକ୍ତ ଅଡିଓ ଦାଖଲ କରିଥିଲେ। ଗତ ସୋମବାର ଶିଶୁ ଅଧିକାର ସୁରକ୍ଷା କମିସନ୍‌ ଅଧ୍ୟକ୍ଷାଙ୍କୁ ଭେଟି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଏହି ମାମଲାରେ ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ମହିଳା କମିସନ। ସେହିପରି ୪୮ ଘଣ୍ଟା ଭିତରେ ଜବାବ୍ ଦାଖଲ ପାଇଁ ସମ୍ପୃକ୍ତ ଟିଭି ଚ୍ୟାନେଲ ଏମ୍‌ଡି ଓ ପୁଲିସ୍‌କୁ ନୋଟିସ୍ ଜାରି କରିଛନ୍ତି ଶିଶୁ ଅଧିକାର ସୁରକ୍ଷା କମିସନ୍‌।

ସମ୍ବନ୍ଧିତ ଖବର