ଭୁବନେଶ୍ବର: ଟ୍ୟୁସନ୍ରୁ ଘରକୁ ଫେରୁଥିବା ଜଣେ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ କାର୍ରେ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତବର୍ଷ ଘଟିଥିବା ଏହି ଘଟଣାକୁ ନେଇ ଏବେ ଅଭିଯୋଗ ହେବା ପରେ ବଡ଼ଗଡ଼ ଥାନା ପୁଲିସ ୨ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ ପେସାଦାର ଅପରାଧୀ ଦେବୀପ୍ରସାଦ ଜେନା ଓରଫ ବୁବୁ ଓ ଅମ୍ଳାନ ମହାନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା ବୁବୁର ଆହୁରି କିଛି ସହଯୋଗୀ ଫେରାର ଅଛନ୍ତି। ସୂଚନାନୁସାରେ ୨୦୨୪ ଜାନୁଆରି ମାସରେ ପୀଡ଼ିତାଜଣକ ଟ୍ୟୁସନ୍ରୁ ଘରକୁ ଫେରୁଥିଲେ। ବାଟରେ ଛକି ରହିଥିବା ବୁବୁ ଓ ତା’ର ସାଙ୍ଗମାନେ ତାଙ୍କୁ ଜୋର୍ ଜବରଦସ୍ତ କାର୍ ଭିତରକୁ ଟେକି ନେଇ ପଳାଇଥିଲେ।
ପୁରୀ ବାଇପାସ୍ରେ ସେମାନେ କାର୍ ଭିତରେ ବଳପୂର୍ବକ ନାବାଳିକାଙ୍କୁ ନିଶା ଦେଇ ସଂଜ୍ଞାହୀନ କରିବା ପରେ ଦୁଷ୍କର୍ମ କରିଥିଲେ। ଏଥିସହିତ ସେମାନେ ନାବାଳିକାଙ୍କ ନଗ୍ନ ଭିଡିଓ ସୁଟ୍ କରି ରଖିଥିଲେ। ସଂଜ୍ଞା ଫେରିବା ପରେ ସେମାନେ ନାବାଳିକାଙ୍କୁ ଛାଡ଼ି ଦେଇଥିଲେ ଏବଂ ଘଟଣା ପ୍ରଘଟ ନ କରିବାକୁ ଧମକ ଦେଇଥିଲେ। ପୁଲିସରେ ଅଭିଯୋଗ କଲେ ସେମାନେ ତାଙ୍କ ଭିଡିଓ ଭାଇରାଲ୍ କରିବେ ଏବଂ ଦରକାର ପଡ଼ିଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ତେଣୁ ନାବାଳିକା ଭୟରେ ନିରବ ରହିଥିଲେ। ମାତ୍ର ଏହାକୁ ନେଇ ଅଭିଯୁକ୍ତମାନେ ନାବାଳିକାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ବର୍ଷେ କାଳ ନିର୍ଯାତନା ସହିସହି ଶେଷରେ ନାବାଳିକାଜଣକ ଅତିଷ୍ଠ ହୋଇ ପ୍ରଥମେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଏବଂ ପରେ ଡିସିପିଙ୍କ ଦ୍ବାରସ୍ଥ ହୋଇଥିଲେ। ଘଟଣା ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଥିବାରୁ ପରେ ଏହି ମାମଲା ବଡ଼ଗଡ଼ ଥାନାକୁ ସ୍ଥାନାନ୍ତର କରାଯାଇଥିଲା।